ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ

ବାରିପଦା :  ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିବା ଗୋଠଛଡ଼ା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରି କପିଳାଶ ଥଇଥାନ କେନ୍ଦ୍ରକୁ ଅଣାଯାଇଛି । ଏହି ଦନ୍ତା ଆକ୍ରମଣରେ ୩ ଦିନରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨୪ ତାରିଖ ରାତିରେ ଝାଡ଼ଖଣ୍ଡରୁ ଓଡ଼ିଶା ସୀମାରେ ପଶିଥିଲା ଏହି ଦନ୍ତା । ସୀମାନ୍ତବର୍ତ୍ତୀ ଶୁଳିଆପଦା ବ୍ଲକରେ ବ୍ୟାପକ ଫସଲ ଉଜାଡ଼ିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରିଥିଲା । ଗତକାଲି ରାତିରେ ଦନ୍ତାଟି ବାରିପଦା ବ୍ଲକ୍ ବିସିପୁର ପଞ୍ଚାୟତ ବାଦଲସାହି ନିକଟରେ ବୁଲୁଥିବାବେଳେ ବନବିଭାଗ ଟ୍ରାଙ୍କୁଲାଇଜ୍ କରିଥିଲା । ପରେ ହାତୀଟି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା । ପ୍ରାୟ ଘଣ୍ଟାଏ ପରେ ନିଶ୍ଚେତକ ପ୍ରଭାବରେ ହାତୀଟି ଅଚେତ ହୋଇଯାଇଥିଲା । ବନ ବିଭାଗ ଏକ ଗାଡ଼ିରେ ତାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା । ନିଶ୍ଚେତକ ପ୍ରଭାବ କମିବାପରେ ତାକୁ କାବୁ କରିବା ପାଇଁ ଆସାମରୁ ତାଲିମପ୍ରାପ୍ତ ମାହୁନ୍ତଙ୍କୁ ନିୟୋଜିତ କରାଯିବ ।