ଭାରତରେ ଖୁବ୍ ଶୀଘ୍ର ମିଳିବ ମୋଲନୁପିରାଭିର ବଟିକା

ନୂଆଦିଲ୍ଲୀ: ଭାରତରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ ମର୍କ କମ୍ପାନୀର ମୋଲନୁପିରାଭିର ବଟିକା। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ବା ସିଏସଆଇଆରର ମୁଖ୍ୟ ଡାକ୍ତର ରାମ ବିଶ୍ବକର୍ମା। ଗେମ ଚେଞ୍ଜର ଭାବେ ସାବ୍ୟସ୍ତ ହେବାକୁ ଯାଇଥିବା ଏହି ଟାବଲେଟ ଭାରତର ୮ଟି ଔଷଧ ନିର୍ମାତା କମ୍ପୀନୀ ସହ ସ୍ବେଚ୍ଛାକୃତ ଲାଇସେନ୍ସିଂ ରାଜିନାମା ସ୍ବାକ୍ଷର କରିଛି।

ସେହି କମ୍ପାନୀଗୁଡିକ ମଧ୍ୟରେ ସିପଲା, ଡକ୍ଟର ରେଡିସ ଲାବରେଟୋରିସ, ସନ ଫାର୍ମା, ହେଟେରୋ, ଅରବିନ୍ଦ ଫାର୍ମା ଓ ଅନ୍ୟ କିଛି କମ୍ପାନୀ। ଏହି କମ୍ପାନୀଗୁଡିକ କିଛି ଦିନ ଧରି କ୍ଲିନିକାଲ ଟ୍ରାଏଲର ଶେଷ ପର୍ଯ୍ୟାୟ ସାରିବା ସହ ଏହି ରିପୋର୍ଟ ଦାଖଲ କରିଛନ୍ତି। ସେ କହିଛନ୍ତି ଭାରତରେ ମୋଲନୁପିରାଭିର ବଟିକା ତିଆରି କରିବା ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହେବା ସହ ବୈଷୟିକ ସହଭାଗିତା ହୋଇଛି। ବିଭିନ୍ନ କମ୍ପାନୀ ପକ୍ଷରୁ କରାଯାଇଥିବା କ୍ଲିନିକାଲ ଟ୍ରାଏଲ ରିପୋର୍ଟ ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ବା ଡିସିଜିଆଇଙ୍କ ନିକଟରେ ଦାଖଲ କରାଯାଇଛି।

ଏହି ବଟିକାକୁ ପ୍ରଥମେ ବ୍ରିଟେନ ନିଜ ଦେଶରେ ଅନୁମତି ଦେଇସାରିଛି। ଖୁବ୍ ଶୀଘ୍ର ଭାରତରେ ବି ଏହି ଟାବଲେଟ ଉପଲବ୍ଧ ହେବ। ପ୍ରାୟ ୭୦୦ ଲୋକଙ୍କ କ୍ଷେତ୍ରରେ ଏହା ଟ୍ରାଏଲ କରାଯାଇଛି ଏବଂ ସଫଳତା ପରିଲକ୍ଷିତ ହୋଇଛି। ଏସମସ୍ତ ରିପୋର୍ଟକୁ ଡିସିଜିଆଇ ବିଚାରକୁ ନେବା ସହ ଅନୁମତି ଦେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଭାରତରେ ଏହି ଔଷଧ ତିଆରି ଲାଗି ଭାରତୀୟ ସମନ୍ବିତ ଔଷଧ ପ୍ରତିଷ୍ଠାନ ବା ଆଇଆଇଆଇଏମ ସହ ସିଏସଆଇଆର କାର୍ଯ୍ୟ କରୁଛି । ଭାରତରେ ୧୫ରୁ ୨୦ଟି ଟାବଲେଟର ଦାମ ୫୦୦ରୁ ୧ ହଜାର ଟଙ୍କା ପଡିପାରେ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply