ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ହେବ ନା ନାହିଁ ?

ନୂଆଦିଲ୍ଲୀ : ରାତି ପାହିଲେ ଫାଶୀ । ପୂର୍ବ ଆଦେଶ ମୂତାବକ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଲ୍ଲୀର ତିହାର ଜେଲ୍ ପରିସରରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ ସ୍ଥିର ହୋଇଛି । ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ଫାଶୀ ପାଇଁ ଦଉଡ଼ି, ଘାତକ, ସ୍ଥାନ, ସମୟ, ଡାକ୍ତର, ଭିଡିଓ ଗ୍ରାଫିର ବ୍ୟବସ୍ଥା ସବୁକିଛି ସ୍ଥିର ହୋଇ ସାରିଛି ।
ଏ ସବୁ ମଧ୍ୟରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସନ୍ତାକାଲି ଫାଶୀ ଦିଆଯିବ କି ନାହିଁ । କାରଣ ପୂର୍ବରୁ ଦୁଇ ଦୁଇ ଥର ଘୁଞ୍ଚିସାରିଛି ଫାଶୀ ର ତାରିଖ । ପ୍ରଥମେ ଜାନୁଆରୀ ୨୨ ଏବଂ ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ । ମାତ୍ର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଏହାକୁ ଘୁଞ୍ଚାଇଥିଲେ ଦୋଷୀଙ୍କ ଓକିଲ ।
ଆଜି ମଧ୍ୟ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି । କିନ୍ତୁ, ପବନ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ କରିଥିବା ଆବେଦନର ଏଯାଏଁ ଶୁଣାଣି ସରିନି । କୋର୍ଟ ନିଜର ନିର୍ଦ୍ଦେଶକୁ ରିଜର୍ଭ ରଖିଛନ୍ତି ।

ପବନ ଆବେଦନର ଦର୍ଶାଇଛି ଯେ, ତାଙ୍କର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଆସନ୍ତାକାଲି ଦିଆଯିବାକୁ ଥିବା ଫାଶୀ ଉପରେ ରୋକ୍ ଲଗାଯାଉ । ଯେହେତୁ ରାଷ୍ଟ୍ରପତି ରାଜକ୍ଷମା ଉପରେ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ତେଣୁ ଆସନ୍ତାକାଲିର ଫାଶୀ ରୋକିବାକୁ ପବନ୍ ପଟିଆଲା ହାଉସକୋର୍ଟରେ ଆବେଦନ କରିଛି । କୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ଅକ୍ଷୟ ଓ ବିନୟର ରାଜକ୍ଷମା ଖାରଜ୍ ହୋଇସାରିଛି । ତେଣୁ ପଟିଆଲା ହାଉସକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି ଆସନ୍ତାକାଲି ଏ ୪ ଜଣଙ୍କୁ ଫାଶୀ ଦିଆଯିବ ନା ନାହିଁ ।

Leave a Reply