ଜୁନିୟର ମହିଳା ହକି ବିଶ୍ୱକପରେ ପରିବା ବିକାଳି ଝିଅଙ୍କ ଦମଦାର ପ୍ରଦର୍ଶନ

1 min read

ଲକ୍ଷ୍ନୗେ: ପରିବା ଦୋକାନରେ ବସି ଝିଅର ଖେଳକୁ ଦେଖୁଛି ମାଆ। ମନେ ମନେ ଭାରି ଖୁସି ହେଉଛି। ଆଉ କହୁଛି ମୋ ଝିଅ ଶହେ ପୁଅଙ୍କ ସହ ସମାନ। ମାଆର ଆଖିରେ ଖୁସିର ସୀମା ନାହିଁ। ଯେଉଁ ଝିଅର ନାଁ ନିଜ ଅଞ୍ଚଳରେ କେହି ନେଉନଥିଲେ ସେହି ଝିଅର ନାଁ ନେଇ ଆଜି ପୁରା ପାବିଲିୟନ ଫାଟିପଡ଼ୁଥିଲା। କାରଣ ବିପକ୍ଷ ଜର୍ମାନି ଦଳର ସବୁ ରଣନୀତିକୁ ଚକମା ଦେଉଥିଲେ ଭାରତୀୟ ହକି ଖେଳାଳି ମମତାଜ୍ ଖାନ୍।

ଜୁନଅର ହକି ବିଶ୍ୱକପର ପୁଲ୍ ମ୍ୟାଚରେ ଜର୍ମାନକୁ ମାତ୍ ଦେଇଛି ଭାରତ। ୱେଲ୍ସକୁ ୫-୧ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିବା  ଭାରତ ରବିବାର ଦିନ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଏହି ବିଜୟର ଶ୍ରେୟ ବିଚୁଦେବୀ କାରିବାମ, ଲାଲରେମସିଆମି ଓ ମମତାଜ ଖାନଙ୍କୁ ଦିଆଯାଉଛି। ଯାହା ପରେ ଭାରତୀୟ ହକିର ନୂଆ ସେନସେସନ୍ ପାଲଟିଛନ୍ତି ମମତାଜ୍। ଯାହାକୁ ନେଇ ପରିବାରରେ ଛୁଟୁଛି ଖୁସିର ଲହରୀ ।

ହେଲେ ମମତାଜଙ୍କ ଏହି ସଫଳତାର ଯାତ୍ରା ଏତେ ସହଜ ନଥିଲା। ମମତାଜଙ୍କୁ ମଧ୍ୟ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ିଛି। ୧୯ ବର୍ଷୀୟ ମମତାଜ ଖାନ୍ ଲକ୍ଷ୍ନୌର ବାସିନ୍ଦା । ମମତାଜଙ୍କ ୬ ଭଉଣୀ ଥିବା ବେଳେ ତାଙ୍କ ପିତା ରିକ୍ସା ଚାଳକ ଓ ମା’ ହେଉଛନ୍ତି ପରିବା ବିକାଳି। ଝିଅର ଏଭଳି ସଫଳତାରେ ମା କ୍ୱାଇଜର ଜାହାଁ କହିଛନ୍ତି, ହକି ଷ୍ଟିକ୍ ଧରି ମମତାଜ୍ କେବଳ ଭାରତର ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀଙ୍କୁ ହରାଇନାହାଁନ୍ତି । ବରଂ ଦୁନିଆକୁ ଦେଖାଇଛନ୍ତି ନାରୀ ବି କିଛି କମ୍ ନୁହେଁ । ପରିବାରରେ ଏତେ ଝିଅ ଥିବାରୁ ସାହି ପଡିଶାଙ୍କ ଅନେକ ଟାହି ଟାପରା ଶୁଣିବାକୁ ମିଳିଥିଲା । ଏବେ ସେହି ଝିଅ ପାଇଁ ସବୁଠି ସମ୍ମାନ ମିଳୁଛି । ଖାଲି ଏତିକି ନୁହେଁ ତାଙ୍କ ଝିଅ ୧୦୦ ପୁଅଙ୍କ ସହ ସମାନ ବୋଲି କୁହନ୍ତି କ୍ୱାଇଜର ।

ଦିନକୁ ୩୦୦ ଟଙ୍କା ରୋଜଗାର କରୁଥିବା କ୍ୱାଇଜର ଜାହାଁ ଝିଅର ନୀଳ ଜର୍ସି ସ୍ୱପ୍ନକୁ ପୂରଣ କରିବା ପାଇଁ କେବେ ପଛଘୁଞ୍ଚା ଦେଇନାହାଁନ୍ତି।  ଆର୍ଥିକ ଅଭାବ ମଧ୍ୟ ମମତାଜଙ୍କୁ ଅଟକାଇ ପାରିନାହିଁ । ଯାହାର ଝଲକ ଦେଖିବାକୁ ମିଳେ ସାଉଥ୍ ଆଫ୍ରିକାରେ ଖେଳାଯାଇଥିବା ଭାରତ- ଜର୍ମାନୀ ମ୍ୟାଚରେ ।

ମମତାଜଙ୍କ ଏହି ଯାତ୍ରାର ମୂଳଦୂଆ ପଡିଥିଲା ଆଗ୍ରାରୁ । ଆଗ୍ରାର ଏକ ରେସରେ ଭାଗ ନେବାକୁ ଯାଇଥିବା ମମତାଜଙ୍କ ଉପରେ ନଜର ପଡିଥିଲା ନିଲମ ସିଦ୍ଦିକିଙ୍କର । । ସ୍ଥିତି ଏଭଳି ଥିଲା ଯେ ସେ କାହାକୁ କିଛି ନ ଜଣାଇ ଟ୍ରାଏଲ୍ ଦେବାକୁ ଚାଲିଯାଇଥିଲା। ଏକଥା ଜାଣିବା ପରେ ଖୁବ୍ ମାଡ଼ ମଧ୍ୟ ଖାଇଥିଲେ ମମତାଜ । କିନ୍ତୁ ପରେ ତାକୁ ହକି ଖେଳିବା ପାଇଁ ପରିବାର ପକ୍ଷରୁ ଅନୁମତି ମିଳିଥିଲା । ଯାହା ପରେ ସେ ଚାଲିଯାଇଥିଲେ କେଡି ସିଂହ ବାବୁ ଷ୍ଟାଡିୟମର ସ୍ପୋର୍ଟ୍ସ ହଷ୍ଟେଲକୁ । ଆଉ ସେଠି ଆରମ୍ଭ ହୋଇଥିଲା ମମତାଜଙ୍କ ହକି ଯାତ୍ରା ।

୬ ଝିଅ ପାଇଁ ମା’ ବାପାଙ୍କୁ ଅନେକ ସମୟରେ ସାହି ପଡିଶା ବହୁତ କଥା କୁହନ୍ତି । କିନ୍ତୁ ବାପା ସେମାନଙ୍କ କଥାକୁ କେବେ କର୍ଣ୍ଣପାତ କରିନାହାଁନ୍ତି । ସବୁବେଳେ ନିଜ ଝିଅ ମାନେ କିପରି ଆଗକୁ ବଢିବେ ସେଥିପ୍ରତି ଧ୍ୟାନ ଦେଇଛନ୍ତି । ଖାଲି ଏତିକି ନୁହେଁ ମମତାଜ ଯେତେବେଳେ ହକି ଖେଳିଲା ସେତେବେଳେ ଲୋକମାନେ ମଧ୍ୟ ମା’ଙ୍କୁ ବହୁତ କଥା ଶୁଣାଇଛନ୍ତି । ଝିଅ ପିଲା ହୋଇ ଛୋଟଛୋଟ ଡ୍ରେସ୍ ପିନ୍ଧି ହକି ଖେଳୁଛି । ସେ କଣ କରିପାରିବ । କିନ୍ତୁ ଏବେ ମୋ ଭଉଣୀ ଅନ୍ତର୍ଜାତୀୟ ହକି ଖେଳାଳି ହୋଇପାରିଥିବାରୁ ଖୁବ୍ ଗର୍ବ ଲାଗୁଛି । ଆର୍ଥିକ ଅଭାବ ସତ୍ୱେ ବାପା-ମାଆ ଆମ ମାନଙ୍କୁ ନିଜ ଗୋଡରେ ଛିଡା ହେବା ପାଇଁ ସମର୍ଥ କରିଛନ୍ତି ବୋଲି କୁହନ୍ତି ମମତାଜଙ୍କ ଭଉଣୀ ଫରାହ ଖାନ୍