ବିଜେପୁର ପାକ୍ସରେ ଚାଷୀଙ୍କଠୁ ଲାଞ୍ଚ ନେବା ଘଟଣା, ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁ ନିଲମ୍ବିତ

ବଲାଙ୍ଗୀର : ନନ୍ଦିଘୋଷ ଟିଭିର ମହାପ୍ରଭାବ । ଟିଟିଲାଗଡ଼ ବିଜେପୁର ପାକ୍ସରେ ଚାଷୀଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଲାଞ୍ଚ ନେବା ଘଟଣାରେ କାର୍ଯ୍ଯାନୁଷ୍ଠାନ ହୋଇଛି । ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁଙ୍କୁ ନିଲମ୍ବିତ କରାଯାଇଛି । ପାକ୍ସ ସମ୍ପାଦକ ବିଘ୍ନେଶ୍ବର ଭୋଇଙ୍କ ବିରୋଧରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ପାଦକଙ୍କ ଗୋଟିଏ ମାସର ଦରମାକୁ ବନ୍ଦ କରାଯାଇଛି । ମଣ୍ଡିରେ ଧାନ ବିକିବା ପାଇଁ ରେଜିଷ୍ଟ୍ରେସନ କରିବାକୁ ବିଜେପୁର ପାକ୍ସରେ ଚାଷୀଙ୍କଠୁ ୧୦୦ ଟଙ୍କା ଲାଞ୍ଚ ନେଆଯାଉଥିବା ଅଭିଯୋଗ ହୋଇଥିଲା । ଧାନ ବିକିବାକୁ ରେଜିଷ୍ଟ୍ରେସନ ଆଳରେ ଚାଷୀଙ୍କଠୁ ଲୁଟ୍ ହେଉଥିଲା । ଯାହାର ପ୍ରମାଣ ଲାଗିଥିଲା ନନ୍ଦିଘୋଷ ଟିଭି ହାତରେ । ଲାଞ୍ଚ କାରବାରର ଅଡିଓ ଭାଇରାଲ ସହ ଫୋନ ପେରେ ବି ଟଙ୍କା ନିଆଯାଉଥିବା ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି ।  ପରେ ଡିଆରସିଏସଙ୍କ ନିର୍ଦ୍ଦେଶରେ ଏଆରସିଏସ ତଦନ୍ତ କରିଥିଲେ ମଧ୍ଯ ଘଟଣାକୁ ଚପାଇବାକୁ ସେ ଉଦ୍ଯମ କରିଥିଲେ । ଏନେଇ ଚାଷୀଙ୍କ ଅଭିଯୋଗ ପରେ ନିଜେ  ଡିଆରସିଏସ ତଦନ୍ତ କରି ସତ ସାମ୍ନାକୁ ଆଣିଥିଲେ । ଅଭିଯୋଗକାରୀ ଏବଂ ଚାଷୀଙ୍କ ସହ ସଂପୃକ୍ତ ପାକ୍ସର ଡାଟାଏଣ୍ଟ୍ରି ଅପରେଟର ଓ ସଂପାଦକଙ୍କୁ ପଚରାଉଚରା ପରେ ଟଙ୍କା ନେବାକଥା ସ୍ବୀକାର କରିଥିଲେ ଡାଟାଏଣ୍ଟ୍ରି ଅପରେଟର ବିଶ୍ଵଜିତ ସାହୁ । ଚାଷୀଙ୍କଠୁ ଲୁଟିଥିବା ଟଙ୍କା ତୁରନ୍ତ ଫେରାଇବାକୁ ସଂପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।