କିଏ ଏବଂ କାହିଁକି ଦେଲା ବାତ୍ୟା ’ମିଗଜୋମ’ ନାମ? ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ

ଭୁବନେଶ୍ବର: ଭୟଙ୍କର ରୂପରେ ମାଡ଼ି ଆସୁଛି ବାତ୍ୟା ମିଗଜୋମ୍। ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇଥିବାବେଳେ ତାମିଲନାଡ଼ୁରେ ସ୍ଥିତି ବେହାଲ ହେଲାଣି । ଚେନ୍ନାଇରେ ପ୍ରବଳ ବର୍ଷା ପାଇଁ ପାଣି ପାଣି ପୁରା ସହର । ତେବେ ଏହି ବାତ୍ୟାର ନାମ ମିଗଜୋମ୍ କିଏ ଦେଇଛି । ଏଭଳି ନାମ କାହିଁକି ଦିଆଗଲା । ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି। ମିଗଜୋମ ନାମ ମିଆଁମାର ଦେଇଛି । ଏହା ହେଉଛି ଏକ ମିଆଁମାର ଶବ୍ଦ। ମିଗଜୋମର ଅର୍ଥ ହେଉଛି ନମନୀୟତା ଏବଂ ଶକ୍ତି। ତିନି ରାଜ୍ୟରେ ଏହାର ପ୍ରଭାବ ପଡ଼ିବାକୁ ଥିବାବେଳେ ଏଭଳି ନାମ କରଣ କରାଯାଇଥିବା କୁହାଯାଉଛି । ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ । ଓଡ଼ିଶାରେ କେବଳ ବର୍ଷା ହେବାବେଳେ ବଡ଼ ପ୍ରଭାବ ନାହିଁ ।

ସୂଚନା ଥାଉକି,  ବାତ୍ୟା ମଙ୍ଗଳବାର ଉତ୍ତର ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ନେଲୋର ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ ବାପାଟଲା ନିକଟରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାକୁ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ । ଏଥିପାଇଁ ଆନ୍ଧ୍ର ସମେତ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଲ୍ୟାଣ୍ଡଫଲ ସମୟରେ ଦେଢ ମିଟର ଉଚ୍ଚର ଲହଡ଼ି ସୃଷ୍ଟି ହେବା ସମ୍ଭାବନା ରିହଛି । ବାତ୍ୟା ମିଗଜୋମ ବାପତାଲା ଓ କ୍ରିଷ୍ଣା ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବା ଆଂଶକା କରାଯାଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପତାଲା. କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାରେ ସତର୍କତା ଜାରି କରାଯାଇଛି । ଉପକୂଳ ଅଂଚଳରେ ୧୪୪ ଧାରା ଲଗାଯାଇଛି । ଆନ୍ଧ୍ରପ୍ରଦେଶରେ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି ।

ସ୍ଥଳଭାଗ ଛୁଇଁବା ଆଗରୁ ତାମିଲନାଡୁରେ ତାଣ୍ଡବ ରଚୁଛି ମିଗଜୋମ୍ । ତାମିଲନାଡୁ ନିକଟରେ ସମାନ୍ତରାଳ ଭାବେ ଉତ୍ତରମୁହାଁ ହୋଇ ଏହା ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରିବ । ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ଚେନ୍ନାଇରେ ବିଭିନ୍ନ ସ୍ଥାନରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଚେନ୍ନାଇ ଏୟାରପୋର୍ଟରେ ପାଣି କମିବା ପରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି । ପୁଣିଥରେ ବିମାନ ଉଡ଼ାଣ ଆରମ୍ଭ କରିଛି। ଆଜି ମଧ୍ୟ ତାମିଲନାଡୁ ସରକାର ଅନେକ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରିଥିବା ବେଳେ ସାର୍ବଜନିକ ସ୍ଥାନ ବନ୍ଦ କରାଯାଇଛି । ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଉପକୂଳ ଅଞ୍ଚଳରେ ୫ ହଜାରରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଓ ଏସଡିଆରଏଫ ଯବାନ ମୁତୟନ ହୋଇଛନ୍ତି ।