ଶୁକ୍ରବାର ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବାତ୍ୟାର ଚିତ୍ର, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

1 min read

ଭୁବନେଶ୍ୱର: ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବାତ୍ୟାର ଚିତ୍ର । ବାତ୍ୟା ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର  । ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା । ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ବାତ୍ୟାର ରୂପ ନେବ କି ନାହିଁ ତାହା ଜଣାପଡ଼ିବ । ବାତ୍ୟା ମୁକାବିଲା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଭୟଭୀତ ନହୋଇ ସତର୍କ ରହିବାକୁ SRC ପରାମର୍ଶ ଦେଇଛନ୍ତି । ଯଦି ବାତ୍ୟା ହୁଏ, ତେବେ ରାଜ୍ୟର ୧୮ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି ।

ଏସଆରସି କହିଛନ୍ତି, ଆଜି ସମସ୍ତ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି । ବାତ୍ୟା ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ଆସନ୍ତାକାଲି ସନ୍ଧ୍ୟାରେ ଜିଲ୍ଲାପାଳମାନେ ରିପୋର୍ଟ ଦେବେ । ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ, ଓଡ୍ରାଫ୍, NDRF ଟିମକୁ ସତର୍କ ରଖାଯାଇଛି । ଏହାସହ ଶକ୍ତି, ପଞ୍ଚାୟତ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ବାତ୍ୟା ଆତଙ୍କରେ ଅନେକ ସାମଗ୍ରୀ କଳାବଜାର ହେବାର ଆଶଙ୍କା ରହିଛି । ତେଣୁ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି SRC କହିଛନ୍ତି ।

ଏହାଛଡ଼ା ବଜାରରେ ଯଥେଷ୍ଟ ସାମଗ୍ରୀ ମହଜୁଦ ରହିଛି । ଅଯଥାରେ ଅଧିକ ସାମଗ୍ରୀ କିଣି ଘରେ ଗଚ୍ଛିତ ନ ରଖିବାକୁ ପରାମର୍ଶ ଦିଆଯାଇଛି । ତେବେ ସମର ସାଇକ୍ଲୋନ୍ କ୍ଷେତ୍ରରେ ବନ୍ୟା ଆଶଙ୍କା କମ୍ ବୋଲି ଏସଆରସି କହିଛନ୍ତି । ସେହିପରି ଗଣମାଧ୍ୟମରେ ଆତଙ୍କିତ ହେଲାଭଳି ଖବର ପ୍ରସାରିତ ନହେବାକୁ ଅନୁରୋଧ କରିଛନ୍ତି  । ବାତ୍ୟା ନେଇ ଲୋକଙ୍କୁ ସତର୍କ କରାଯାଉ ଅଯଥାରେ ସାଧାରଣ ଲୋକଙ୍କୁ ଭୟଭୀତ କରାନଯାଉ କିମ୍ବା ଆତଙ୍କିତ କରାନଯାଉ ବୋଲି କହିଛନ୍ତି ସ୍ନତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  ।