ସାରା ଦେଶରେ ବଢୁଛି ଶିଶୁ ବିରୋଧୀ ସାଇବର ଅପରାଧ

1 min read

ନନ୍ଦିଘୋଷ ବ୍ୟୁରୋ: ପୂର୍ବବର୍ଷ ତୁଳନାରେ ଶିଶୁ ବିରୋଧୀ ସାଇବର ଅପରାଧ ୩୨ ପ୍ରତିଶତ ବୃଦ୍ଧି । ପ୍ରତ୍ଯୋକ ଘଣ୍ଟାରେ ରୁଜୁ ହେଉଛି ୧୮ ମାମଲା । ଚିନ୍ତା ବଢାଇଲା NCRB ରିପୋର୍ଟ । ସେପଟେ କମିଶନରେଟ ପୋଲିସକୁ ବଳ ଯୋଗାଉଛନ୍ତି ସାଇବର ମିତ୍ର । ସାରା ଦେଶରେ ବଢ଼ିବାରେ ଲାଗିଛି ଶିଶୁ ବିରୋଧୀ ସାଇବର ଅପରାଧ । ପ୍ରତ୍ଯେକ ଘଣ୍ଟାରେ ରୁଜୁ ହେଉଛି ୧୮ ମାମଲା । ଅଦୃଶ୍ୟ ଠକଙ୍କ ଦ୍ଵାରା ଛୋଟପିଲାଙ୍କୁ ହେଉଛି ଯୌନ ଶୋଷଣ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ମୁତାବକ ଭାରତରେ ୨୦୨୧ ମସିହାରେ ଶିଶୁ ବିରୋଧୀ ସାଇବର ଅପରାଧ ମାମଲା ୧୩ ଶହ ୭୬ ଟି ରୁଜୁ ହୋଇଥିବା ବେଳେ ୨୦୨୨ ରେ ରୁଜୁ ହୋଇଛି ୧୮ ଶହ ୨୩ ଟି । ଯାହା ପୂର୍ବ ବର୍ଷଠୁ ୩୨ ପ୍ରତିଶତ ଅଧିକ ।

ସେହିପରି ୨୦୨୩ ରେ ଏହି ସଂଖ୍ୟା ୨୫ ଶହ ଟପିଛି । ପର୍ଣ୍ଣଗ୍ରାଫି, ଫେକ ୱେବସାଇଟ ଜରିଆରେ ଠକେଇ, ନିଶା କାରବାର ଭଳି ମିଛ ଅଭିଯୋଗ ଆଣି ଡିଜିଟାଲ ଆରେଷ୍ଟ, ଅବିଭାବକଙ୍କୁ ବ୍ଲାକମେଲ ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଗେମିଙ୍ଗ ଆପ ଜରିଆରେ ମଧ୍ୟ ସାଇବର ଠକଙ୍କ ଦ୍ୱାରା ନିର୍ଯାତନା ପାଇଛନ୍ତି କୁନି ପିଲା । ତେବେ ଅତ୍ୟଧିକ ଇଣ୍ଟରନେଟର ବ୍ୟବହାର, କରୋନା ବେଳେ ଘରେ ରହିବା ଓ ବାପା ମାଆ ଆବଶ୍ୟକତା ମୁତାବକ ପିଲାଙ୍କ ଧ୍ୟାନ ରଖୁନଥିବା ମୂଳ କାରଣ ବୋଲି କୁହାଯାଇଛି ।

ପୂର୍ବରୁ ଓଡିଶା ପୋଲିସ ପକ୍ଷରୁ ସ୍ପେଶାଲ ୱିଙ୍ଗ ଗଠନ କରାଯାଇ ୟୁନିସେଫ ଜରିଆରେ ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର ଜାରି କରାଯାଇଥିଲା । କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ସ୍କୁଲରେ ଥିବା ସାଇବର ଭଲ୍ୟୁଣ୍ଟର ପୋଲିସ ଯୋଗାଯୋଗରେ ରହୁଛନ୍ତି । କେତେକ ସ୍ଥାନରେ ପିଲାଙ୍କ ସହ ସାଇବର ଠକେଇ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା କହିଛନ୍ତି ଡିସିପି । ପୋଲିସ ପକ୍ଷରୁ ୨୪ ଘଣ୍ଟା ସାଇବର ପେଟ୍ରୋଲିଂ ଚାଲିଛି । ଏହାପରେ ମଧ୍ୟ ଅବିଭାବକ ସଚେତନ ହେଉନଥିବାରୁ ଏଭଳି ଘଟଣା ସାମ୍ନାକୁ ଆସୁଥିବା ଦେଖାଯାଇଛି ।