କଟକ ମାଲଗୋଦାମ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ କରିଛି ଗିରଫ

କଟକ : ମାଲଗୋଦାମ ଅଞ୍ଚଳରେ ଡକାୟତି ଘଟଣାର ପର୍ଦାଫାଶ କରିଛି କଟକ କମିଶନରେଟ ପୋଲିସ । ମାମଲାରେ ମାଲଗୋଦାମ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା 1 ଲକ୍ଷ 23 ହଜାର ଟଙ୍କା ସହ 12 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରାଯାଇଛି । ଗତ 11 ତାରିଖ ରାତି ପ୍ରାୟ 11ଟା ବେଳେ ଆଦିତ୍ୟ ମହାରଣା ନାମକ ଜଣେ ସୁନା ଅଳଙ୍କାର ବ୍ୟବସାୟୀ କଟକ କଲେଜ ଛକ ଦେଇ ଓଏମପି ଆଡକୁ ଯାଉଥିବା ବେଳେ ଲୁଟର ଶିକାର ହୋଇଥିଲେ । ରେଲୱେ ଓଭରବ୍ରିଜ ଉପରେ 7ଜଣ ଡକାୟତ ଆଦିତ୍ୟଙ୍କୁ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ସାଢ଼େ 7 ଲକ୍ଷ ଟଙ୍କା ସହ ସେ ପିନ୍ଧିଥିବା ସୁନା ଚେନ ଓ ବାଇକ ଲୁଟ କରି ନେଇଥିଲେ । ଆଦିତ୍ୟ ଏନେଇ ମାଲଗୋଦାମ ପୋଲିସରେ ଏକ ଅଭିଯୋଗ କରିବା ପରେ ପୋଲିସ ଏହି ଡକାୟତ ଗ୍ୟାଙ୍ଗକୁ ଠାବ କରିଛି । ଡକାୟତିର ଏକ ସିଂହ ଭାଗ ଟଙ୍କା ନେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ତାକୁ ଠାବ କରିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି କଟକ ଡିସିପି ।