ସ୍ଥାନାନ୍ତର ହେଲା କଟକର ସର୍ବ ପୁରାତନ ଛତ୍ର ବଜାର ପରିବା ମାର୍କେଟ୍

କଟକ: ଅର୍ବାନ ହାଟ ପରିସରକୁ ସ୍ଥାନାନ୍ତର ହେଲା କଟକର ସର୍ବ ପୂରାତନ ଛତ୍ରବଜାର ପରିବା ମାର୍କେଟ । ଦେଢ଼ ଶହ ବର୍ଷର ଛତ୍ରବଜାର ଆଜିଠୁ ଅର୍ବାନ ହାଟ ପରିସରକୁ ସ୍ଥାନାନ୍ତର ହୋଇଛି । ଏଠାରେ ଆଜିଠାରୁ ଏକ ହଜାରରୁ ଅଧିକ ପରିବା ବ୍ଯବସାୟୀ ଓ ଚାଷୀ ବିଭିନ୍ନ ପିଣ୍ଡିରେ ବସି ବ୍ୟବସାୟ କରିପାରିବେ । ପୂର୍ବରୁ ତାଳଦଣ୍ଡା କେନାଲ କୂଳରେ ପ୍ରାୟ ଦୁଇ କିଲୋମିଟର ରାସ୍ତାକଡେ ବ୍ଯବସାୟୀ ବେପାର କରି ଆସୁଥିଲେ । ଦୈନନ୍ଦିନ କଟକ ଓ ଆଖପାଖ ଅଞ୍ଚଳର ହଜାର ହଜାର ଗ୍ରାହକ ଏଠାରୁ ପରିବା କିଣି ନେଉଥିଲେ । ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର 1.62 ଏକର ଜମିରେ ୩ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ଏହି ଅର୍ବାନ ହାଟ ପ୍ରତିଷ୍ଠା କରିଛନ୍ତି । ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପରେ ଛତ୍ରବଜାରରେ ପରିବା ବ୍ଯବସାୟ କରି ଆସୁଥିଲେ ବେପାରୀ । କେବଳ କରୋନା ସମୟରେ ପରିସ୍ଥିତିକୁ ଦେଖି କିଛି ମାସ ପାଇଁ ଛତ୍ରବଜାର ପରିବା ମାର୍କେଟକୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।