ବାରବାଟୀ ବ୍ୟାଟେଲରେ କାହିଁକି ହେଲା ବଡ଼ ବିଭ୍ରାଟ ?

ଭୁବନେଶ୍ବର : ୨୪ ଜାନୁଆରୀ ୨୦୨୫ । ବାରବାଟୀ ଷ୍ଟାଡିୟମ ଯାଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ ସମୀକ୍ଷା କରିଥିଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ପଡ଼ିଆକୁ ଯାଇ ସମୀକ୍ଷା କରିଥିଲେ । ମ୍ୟାଚ ଦିନ ଢେର ଆଗରୁ ଯାଇ ଭିଆଇପି ସିଟରେ ବସି ମୁଖ୍ୟମନ୍ତ୍ରୀଙ୍କ ସମେତ ସଂପୂର୍ଣ୍ଣ ମନ୍ତ୍ରିମଣ୍ଡଳୀ ଖେଳକୁ ଉପଭୋଗ କରୁଥିଲେ । ହେଲେ ଯେତେବେଳେ ସଂଧ୍ୟା ନଇଁ ଆସିଲା ଓ ବିଦ୍ୟୁତ କାଟ ହୋଇଥିଲା, ସେତେବେଳେ ଉଡିଯାଇଥିଲା ଫ୍ଯୁଜ । ଏତେ ବଡ଼ ବିଭ୍ରାଟର ଦୋଷ କେହି ମୁଣ୍ଡାଇବାକୁ ନାରାଜ । ଏବେ ସବୁ ଦୋଷ ଓସିଏ ଉପରେ ଲଦି ପଳାୟନପନ୍ଥୀ ସାଜିଲେଣି ସରକାର । ଓସିଏର ଅବୈତନିକ ସମ୍ପାଦକ ସଞ୍ଜୟ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଛି କ୍ରୀଡା ବିଭାଗ । କାହିଁକି ମ୍ୟାଚ ମଝିରେ ବିଜୁଳି କାଟ ହେଲା, ସେ ନେଇ ଉତ୍ତର ରଖିବାକୁ ନୋଟିସ ଜାରି କରାଯାଇଛି ।

ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଏହି ବ୍ୟାଘାତର କାରଣ ପାଇଁ ଏକ ବିସ୍ତୃତ ବ୍ୟାଖ୍ୟା ଦାଖଲ କରିବାକୁ କୁହାଯାଇଛି । ଏପରି ତ୍ରୁଟି ପାଇଁ ଦାୟୀ ବ୍ୟକ୍ତି ବା ଏଜେନ୍ସିଗୁଡ଼ିକୁ ଚିହ୍ନଟ କରି  ଭବିଷ୍ୟତରେ ସମାନ ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ରୂପରେଖ ସଂପର୍କରେ ୧୦ ଦିନ ଭିତରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନିଜେ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀ ଯଦି ପ୍ରସ୍ତୁତି ସମୀକ୍ଷା କରିଥିଲେ, ତାହେଲେ କାଠଗଡ଼ାରେ କେବଳ ଓସିଏ କି ବିସିସିଆଇ କାହିଁକି ଠିଆ ହେବ ବୋଲି ବିଭିନ୍ନ ମହଲରୁ ଦାବି ଉଠିଲାଣି । ଖୋଦ୍ ଓସିଏର ପୂର୍ବତନ ସଦସ୍ୟ ବି ବାରବାଟୀ ବିଭ୍ରାଟ ପାଇଁ ସରକାରଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଚାରି ଚାରି ଥର କ୍ରୀଡ଼ା ମନ୍ତ୍ରୀ ସମୀକ୍ଷା କରିବା ସତ୍ତ୍ବେ ଏପରି ଘଟଣା ଓଡ଼ିଶାକୁ ଲଜ୍ଜିତ କରିଛି । ଏଥିପାଇଁ ନୈତିକତା ଦୃଷ୍ଟିରୁ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଇସ୍ତଫା ଦାବି କରିଛି ବିଜୁ ଜନତା ଦଳ । କ୍ରୀଡ଼ା ମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା କରିବା ପରେ ବି ଏପରି ବିଭ୍ରାଟ ଘଟିଥିବାରୁ, କଂଗ୍ରେସ ବିଧାୟିକା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ସଜବାଜ ହେଉଛନ୍ତି । ବାରବାଟୀର ବିଦ୍ୟୁତ ବିଭ୍ରାଟରେ ରାଜ୍ୟ ସରକାରଙ୍କ ଭୂମିକାକୁ ସନ୍ଦେହରେ ଦେଖିଛନ୍ତି ସମୀକ୍ଷକ । ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପ ଦେଖିବାକୁ ମିଳିଥିଲା ବାରବାଟୀ ମ୍ୟାଚ ପରିଚାଳନାରେ । ଟିକେଟ ବିକ୍ରିରୁ ଆରମ୍ଭ କରି ମ୍ୟାଚ ପରିଚାଳନା, ସବୁଠି ନୂଆ ସରକାର ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି । ହୁଏତ ଏହା ଓସିଏକୁ ଚାପରେ ପକାଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି । ଯାହା ବାରବାଟୀରେ ବିଦ୍ୟୁତ ବିଭ୍ରାଟର ଏକ ବଡ଼ କାରଣ ହୋଇପାରେ ।