ତୋଷାଳି ମେଳାରେ ମୁଖ୍ୟ ଶାସନ ସଚିବ: କାଇଁଚ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରଏକାଦଶ ସନ୍ଧ୍ୟାକୁ ପ୍ରଦୀପ ପ୍ରଜ୍ବଳନ ସହ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରି ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ପ୍ରଥମ କରି ତୋଷାଳି ମେଳାକୁ ସଫଳତାର ସହ ଆୟୋଜନ କରାଯିବା କ୍ଷତିଗ୍ରସ୍ତ ଶିଳ୍ପୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିବା କହିଛନ୍ତି । ଏହାସହ କାଇଁଚ ଶିଳ୍ପ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଥିଲେ ।

ସେ କହିଛନ୍ତି, ‘ପ୍ରଦର୍ଶନୀକୁ ପ୍ରତିଦିନ ହଜାର ହଜାର ଦର୍ଶକ ଆସୁଥିବାରୁ ଶିଳ୍ପୀ ଓ କାରିଗରଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ବହୁଗୁଣିତ ହୋଇଛି । କାଇଁଚ ଶିଳ୍ପ ଓଡ଼ିଶାର ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ । କାଇଁଚ ଶିଳ୍ପୀମାନେ ଦୈନିଦିନ ଜୀବନରେ ବ୍ୟବହାର୍ଯ୍ୟ ପଦାର୍ଥଠାରୁ ଆରମ୍ଭ କରି କାର୍ଯ୍ୟାଳୟ ଓ ବିଭିନ୍ନ ପ୍ରକାର ସାଜସଜ୍ଜାରେ ଆବଶ୍ୟକ ପଡ଼ୁଥିବା ଦ୍ରବ୍ୟ ଉତ୍ପାଦନ କରନ୍ତି । ଏହା ବେଶ୍ ଆକର୍ଷଣୀୟ ଏବଂ ଉପଯୋଗୀ । କାଇଁଚ ହସ୍ତଶିଳ୍ପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । କେନ୍ଦ୍ରାପଡ଼ା କାଇଁଚ ଉତ୍ପାଦର ଜିଆଇ ଟ୍ୟାଗିଂ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।’

ସେ ଆହୁରି କହିଛନ୍ତି, ‘ହସ୍ତଶିଳ୍ପୀ ଓ କାରିଗରଙ୍କୁ ବର୍ଷ ତମାମ୍‌ ବଜାର ସୁଯୋଗ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱର ଏକାମ୍ର ହାଟରେ ସ୍ୱତନ୍ତ୍ର ଷ୍ଟଲ ପ୍ରତିଷ୍ଠା କରାଯାଇଛି । ପୁରୀ ଓ କୋଣାର୍କରେ ଥିବା ନୀଳାଚଳ ଓ କୋଣାର୍କ ହାଟକୁ ନବୀକରଣ କରାଯାଇ ବର୍ଷ ତମାମ୍‌ ଚାଲୁ କରାଯିବାର ବ୍ୟବସ୍ଥା କରାଯାଉଛି ।’

ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା କହିଛନ୍ତି, ‘କେନ୍ଦ୍ରାପଡ଼ାରେ ପ୍ରାୟ ୩ ହଜାର କାଇଁଚ ଶିଳ୍ପୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ମହିଳା । ଚିହ୍ନିତ ଶିଳ୍ପୀମାନଙ୍କୁ ଆଧୁନିକ କାଇଁଚ କଳା ବିଷୟରେ ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୯୬୫ ଜଣଙ୍କୁ ତାଲିମ ଦିଆ ସରିଛି ଓ ୫୦୦ ଜଣ ତାଲିମ ନେଉଛନ୍ତି । ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ଚହ୍ନତ ଶିଳ୍ପୀଙ୍କୁ ତାଲିମ ଦିଆଯିବ ।’

ସୂଚନାଯୋଗ୍ୟ, ତୋଷାଳି ମେଳାରେ ଚଳିତବର୍ଷ ପ୍ରାୟ ୪୫୦ ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହେଉଛି । ଓଡ଼ିଶା ସମେତ ପ୍ରାୟ ୨୪ଟି ରାଜ୍ୟରୁ କାରିଗର ଓ ବୁଣାକାର ନିଜ ନିଜ ଉତ୍ପାଦ ବିକ୍ରି କରୁଛନ୍ତି । ମୁଖ୍ୟ ଶାସନ ସଚିବ ମେଳାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଶିଳ୍ପୀ ଓ ବୁଣାକାରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଆଜି ସନ୍ଧ୍ୟାରେ ଗୁରୁ ଶତ୍ରୁଘ୍ନ ନାୟକ ଏବଂ ସାଥୀ କଳାକାର, ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟ ପ୍ରତିଭା’ ଓ ‘ବିନାରୀ ଓ୍ବେଲଫେୟାର ଅର୍ଗାନାଇଜେସନ୍‌’ର କଳାକାରମାନେ ଓଡ଼ିଶୀ, ଦେବଦାସୀ ଓ ମାହାରୀ ନୃତ୍ୟ ପରିବେଷଣ କରିଥିଲେ ।