ନିସ୍ତବ୍ଦ ରାଜଧାନୀରେ ଅମ୍ରିତଙ୍କ ଆମ୍ବୁଲାନ୍ସ, ସ୍ୱତନ୍ତ୍ର ଏୟାରଲିଫ୍ଟରେ ଚେନ୍ନାଇ ସ୍ଥାନାନ୍ତର

1 min read

ଭୁବନେଶ୍ୱର: ରାସ୍ତା ଥିଲା ଶୂନ ଶାନ । କାଁ ଭାଁ ଗାଡି କେଇଟି ଗଡୁଥାଏ । ରାଜଧାନୀ ରାସ୍ତାରେ ସାଇରନ ଦେଇ ମାଡିଚାଲୁଥାଏ ଆମ୍ବୁଲାନ୍ସ । କାରଣ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେବାକୁ ଥିଲେ ଗୁରୁତର ରୋଗୀ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତରଣ କରାଯାଇଛି । ଇକ୍ମୋ ସଂଯୁକ୍ତ ସ୍ବତନ୍ତ୍ର ବିମାନରେ ଆଜି ଅପରାହ୍ନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି।

ପ୍ରଥମେ କୋଭିଡ ସଂକ୍ରମିତ ହୋଇଥିଲେ ଅମ୍ରିତ । ପରେ ତାଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଥିବା କହିଛନ୍ତି ପରିବାର ଲୋକେ । ଏହା ସାଙ୍ଗକୁ ସେ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଅଛନ୍ତି । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ପରେ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଏଥିପାଇଁ ଗତ ୧୨ ତାରିଖରୁ ଭେଣ୍ଟିଲେଟରରେ ଅଛନ୍ତି । ସ୍ଥିତି ଜଟିଳ ହେବାରୁ ରୋଗୀକୁ ସ୍ଥାନାନ୍ତରଣ କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ସେପଟେ ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ଆସିଥିଲେ ୬ ଜଣିଆ ଡାକ୍ତରୀ ଦଳ । ଏହି ଟିମ୍ ସହିତ ଏୟାର ଲିଫିଂରେ ଚେନ୍ନାଇ ନିଆଯାଇଛି ।

ଚେନ୍ନାଇ ନେବା ପରେ ପ୍ରଥମେ ଇକ୍ମୋ ଚିକିତ୍ସା ଚାଲିବ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ଇକ୍ମୋ ସଂଯୁକ୍ତ ଏୟାରଲିଫ୍ଟ ପାଇଁ ୩୦-୪୦ ଲକ୍ଷ ଖର୍ଚ୍ଚ ହେବ । ସେହିଭଳି ଆଇସିୟୁ , ଇକ୍ମୋ, ଡାକ୍ତରଖାନା ଫିସ ପାଇଁ ୨ ଲକ୍ଷ ଖର୍ଚ୍ଚ ହେବ । ଫୁସଫୁସ ପ୍ରତିରୋପଣ ହେଲେ ୪୫ ଲକ୍ଷ ଖର୍ଚ୍ଚ ହେବ । ଡାକ୍ତରୀ ଦଳର ସୂଚନା ଅନୁଯାୟୀ ୩୦ ଦିନ ଚାଲିବ ଚିକିତ୍ସା । ସେପଟେ ଏତେ ଅର୍ଥ ଖର୍ଚ୍ଚ କରିବାକୁ ପରିବାର ଲୋକ ଅକ୍ଷମ ଥିବାରୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବାକୁ ଦାବି ମଧ୍ୟ ପରିବାର ଲୋକେ ଗୁହାରୀ କରିଛନ୍ତି।

Leave a Reply