୧୨୮ବର୍ଷ ପରେ ପୁଣିଥରେ ଅଲିମ୍ପିକରେ କ୍ରିକେଟ

ନନ୍ଦିଘୋଷ ବ୍ୟୁରୋ : କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ୍ । ଅଲିମ୍ପିକ୍ସରେ ପୁଣି ଥରେ ସାମିଲ ହୋଇଛି କ୍ରିକେଟ । ୧୨୮ବର୍ଷ ପରେ ଅଲିମ୍ପିକ୍ ଇତିହାସରେ ପରିବର୍ତ୍ତନ କରାଯାଇ ପୁଣିଥରେ କ୍ରିକେଟକୁ ସାମିଲ କରାଯାଇଛି। ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବ । ଏ ସଂପର୍କରେ ଲସ୍ ଆଞ୍ଜେଲସ ଆୟୋଜକ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି । ଯାହା ଫଳରେ ଦୀର୍ଘ ଦିନର ବ୍ୟବଧାନ ପରେ କ୍ରିକେଟ୍ ପୁଣି ଅଲିମ୍ପିକ୍ ଗେମ୍ସରେ ଅନ୍ତର୍ଭୁକ୍ତ ହୋଇଛି। ଟି ଟ୍ୱେଣ୍ଟି ମ୍ୟାଚ୍ ଭାବେ ଅଲମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ମୋଟ ୬ଟି ଟିମ୍ ଏଥିରେ ଭାଗ ନେବେ । ଆୟୋଜକ ଦେଶ ହିସାବରେ ଆମେରିକା ସିଧାସଳଖ ଖେଳିବାର ଯୋଗ୍ୟତା ଅର୍ଜନ କରିପାରେ । ତେବେ ବାକି ୫ଟି ଦେଶ ଚୟନକୁ ନେଇ ନିୟମ ପରେ ଘୋଷଣା ହେବ ବୋଲି ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟରେ ପ୍ରକାଶିତ ହୋଇଛି । Los Ángeles será la sede de los Juegos Olímpicos y Paralímpicos de 2028 •  dxtadaptado

୧୨୮ ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ ସାମିଲ ହେବାକୁ ଯାଉଛି । ପ୍ରଥମ ଓ ଶେଷଥର ପାଇଁ ୧୯୦୦ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ୍ ସ୍ଥାନ ପାଇଥିଲା । ଏଥିରେ ଦୁଇଟି ଟିମ୍ ଅଂଶଗ୍ରହଣ କରିଥିଲେ । ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଦୁଇଦିନିଆ ଟେଷ୍ଟ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧୨ ଜଣ ଖେଳାଳୀ ଫିଲ୍ଡିଂ କରିଥିଲେ । ଇଂଲଣ୍ଡ୍, ଫ୍ରାନ୍ସକୁ ପରାସ୍ତ କରି କ୍ରିକେଟରେ ଅଲମ୍ପିକ୍ସ ମେଡାଲ ହାତେଇଥିଲା । ତେବେ ଏହି ମ୍ୟାଚକୁ କେବେ ମଧ୍ଯ ଫାଷ୍ଟକ୍ଲାସ କ୍ରିକେଟର ମାନ୍ୟତା ମିଳିନଥିଲା । ତେବେ ପୁଣିଥରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ରିକେଟ୍ ଅନୁମୋଦନ କରିଛି। ଆଇଓସି ସଭାପତି ଥୋମାସ ବାକ୍‌ ଏହା ଘୋଷଣା କରିଛନ୍ତି। ଏହି ଅଲମ୍ପିକ୍ସରେ ମୋଟ ୫ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ହେଉଛି ବେସବଲ୍, ସଫଟବଲ, ଫ୍ଲାଗ୍ ଫୁଟବଲ୍, ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ । ଏବଂ ଏହି ସମସ୍ତ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏସବୁ କ୍ରୀଡ଼ା ସାମିଲ ହେବା ପରେ ଅଲମ୍ପିକ ଆମେରିକା ଓ ବିଶ୍ବର ନୂଆ ଆଥଲେଟ୍ ଓ ପ୍ରସଂଶକଙ୍କ ନିକଟରେ ପହଞ୍ଚିବ ।