ସପିଂ ମଲ୍‌ର ଓପନିଂ ଡେ’ରେ ଅସମ୍ଭାଳ ଭିଡ଼: କରୋନା କଟକଣାର ଖୋଲା ଖୋଲି ଉଲ୍ଲଂଘନ

ପିପିଲି: ଜୀବନ ଅପେକ୍ଷା ନିଜର ଫ୍ୟାସନକୁ ଅଧିକ ଗୁରୁତ୍ୱ ଦେଲେ ସାଧାରଣ ଜନତା। ଜୀବନ ଓ ଜୀବିକା ଉଭୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ସରକାର କହୁଥିବା ବେଳେ ସପିଂ ମଲ୍‌ ମାଲିକ କିନ୍ତୁ ନିଜର ସ୍ୱାର୍ଥ ପାଇଁ କେବଳ ଜୀବିକାକୁ ଦେଖିଲେ। କରୋନା କଟକଣାକୁ ଖୋଲା ଖୋଲି ଉଲ୍ଲଂଘନ ସହ ଚାଲିଥିଲା କିଣାବିକା । ନା ଥିଲା ଭୂତାଣୁର ଭୟ ନା ସାମାଜିକ ଦୂରତା  ।

ଏହିଭଳି କରୋନା କଟଣାର ଖୋଲାଖୋଲି ଉଲଂଘନ ଦେଖିବାକୁ ମିଳିଛି ପିପିଲିର ଏକ ସପିଂ ମଲ୍‌ରେ । ପିପିଲି ବଜାରରେ ଆଜି ନୂତନ ଭାବେ ଖୋଲିଥିବା ଏମ୍ ବଜାର ସପିଂ ମଲ୍‌ । ଏଣୁ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ସାମାଜିକ ଦୂରତା ପ୍ରତି କାହାର ଯେମିତି ନିଘା ନଥିଲା । ନା ସପିଂ ମଲ୍ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇଥିଲା ନା ଲୋକଙ୍କ ଠାରୁ ଦେଖିବାକୁ ମିଳିଥିଲା ସତର୍କତା । ଅପରପକ୍ଷରେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ପିପିଲି ତହସିଲଦାର । ଲୋକଙ୍କୁ ତାଗିଦ୍ କରିବା ସହ ସାମାଜିକ ଦୂରତା ରକ୍ଷା ପାଇଁ ନିବେଦନ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ କରୋନା ନେଇ ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଲୋକେ ଯଦି ଅନଲକ୍ ଚାହୁଁଛନ୍ତି ତେବେ ନିୟମ ମାନନ୍ତୁ ବୋଲି କହିଥିଲେ । ନଚେତ୍ ପୁଣି ଥରେ ଲକ୍‌ଡାଉନ୍ ଫେରିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଦେଇଥିଲେ । ପ୍ରଶାସନ ଓ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଇ ଏହାର ପାଳନ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିବା ସହିତ ବ୍ୟତିକ୍ରମ କ୍ଷେତ୍ରରେ ଜରିମାନା ଓ ସିଲ୍‌ ଭିଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ହେଲେ ପିପିଲି ପ୍ରଶାସନ କିନ୍ତୁ ସବୁ ଦେଖି ଶୁଣି ନିରବ କେବଳ ତାଗିଦ୍ କରି କାମ ଶେଷ କରିଦେଇଛନ୍ତି ।

Leave a Reply