ଆସିଲା କରୋନାର ନୂଆ ଭାରିଆଣ୍ଟ BA.2, ବ୍ରିଟେନରେ ହେଲା ଚିହ୍ନଟ

1 min read

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ହେବ ସାରା ବିଶ୍ୱରେ କରୋନା ମହାମାରୀ ତା’ର ଆତଙ୍କ ଖେଳାଇଛି । ଗୋଟିଏ ଭାରିଆଣ୍ଟ ନ ଯାଉଣୁ ଆଉ ଏକ ଭାରିଆଣ୍ଟ ଆତଙ୍କ ଖେଳାଉଛି । ବର୍ତ୍ତମାନ ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ଖେଳାଉଥିବାବେଳେ ବ୍ରିଟେନରେ ଆଉ ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାକୁ ନେଇ ବ୍ରିଟେନ ସ୍ୱାସ୍ଥ୍ୟ ନିରାପତ୍ତା ଏଜେନ୍ସି ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି ।

ଏହି ନୂଆ ଭାରିଆଣ୍ଟର ନାମ ରଖାଯାଇଛି BA.2 । ଏହି ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ଜାରି ରହିଛି ଏବଂ ଏହାକୁ ଭାରିଆଣ୍ଟ ଅଫ କନସର୍ନ ତାଲିକାରେ ରଖାଯାଇଛି । BA.2 ଦ୍ୱାରା ବ୍ରିଟେନରେ ୪୨୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ବର୍ତ୍ତମାନ ଓମିକ୍ରନ BA.1 ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ନୂଆ ଭାରିଆଣ୍ଟ BA.2 କୁ ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି । ତେବେ ଏହାର ସବିଶେଷ ପ୍ରଭାବ ନେଇ ଗବେଷଣା ଜାରି ରହିଛି ବୋଲି କହିଛନ୍ତି ବ୍ରିଟେନ ସ୍ୱାସ୍ଥ୍ୟ ନିରାପତ୍ତା ଏଜେନ୍ସିର ନିର୍ଦ୍ଦେଶକ ଡାକ୍ତର ମୀରା ଚାନ୍ଦ । ଏହି ଭାରିଆଣ୍ଟ ନେଇ ଜେନୋମିକ ସର୍ଭେଲାନ୍ସ ଜାରି ରହିଛି ଏବଂ ବ୍ରିଟେନରେ ଏହାର ପ୍ରଭାବ ଯେପରି ନିୟନ୍ତ୍ରଣ କରାଯିବ ସେଥିଲାଗି ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ବ୍ରିଟେନର ସଂକ୍ରମଣ ଦୈନିକ ୧ ଲକ୍ଷରୁ ଅଧିକ ହେଉଥିବାବେଳେ ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଓମିକ୍ରନ ସଂକ୍ରମିତଙ୍କ ଅବସ୍ଥା ବିଶେଷ ଗୁରୁତର ହେଉ ନଥିବାରୁ ପରବର୍ତ୍ତୀ ଭାରିଆଣ୍ଟଗୁଡିକ ଶକ୍ତିଶାଳୀ ନ ହୋଇପାରନ୍ତି ବୋଲି କୁହାଯାଉଛି ।

Leave a Reply