ଦେଶରୁ ଯାଇନି କରୋନା, ଏବେ ବି ସକ୍ରିୟ ଓମିକ୍ରନ୍ ଭାରିଆଣ୍ଟ

ନୂଆଦିଲ୍ଲୀ: ଦେଶରୁ ନାଶ ପାଇନି କରୋନା । ଏବେ ବି ସକ୍ରିୟ ରହିଛି ଓମିକ୍ରନ୍ ଭାରିଆଣ୍ଟ । ଟେଷ୍ଟିଂ ବୃଦ୍ଧି ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଫେବ୍ରୁଆରୀ ମାସରେ ପଜିଟିଭ ହାର ୦.୦୯ ପ୍ରତିଶତ ଥିବାବେଳେ ଚଳିତ ମାସରେ ଏହା ଏକ ପ୍ରତିଶତକୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଦିଲ୍ଲୀ, ରାଜସ୍ଥାନ ଆଦି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି । ହଠାତ୍ କରୋନା ଗ୍ରାଫ ବୃଦ୍ଧିକୁ ନେଇ ସତର୍କ ହୋଇଛି ସ୍ବାସ୍ଥ୍ୟ ବିଭାଗ ।

ଆସନ୍ତା ସୋମବାର ଏନେଇ ସବୁ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ବିଭିନ୍ନ ରାଜ୍ୟରେ କରୋନାର ସ୍ଥିତି ଓ ମୁକାବିଲା ପ୍ଲାନକୁ ନେଇ ଆଲୋଚନା ହେବ । ଏପଟେ ଓଡ଼ିଶାରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସର୍ଭେଲାନ୍ସ, ଟ୍ରାକିଂ ଓ ଟେଷ୍ଟିଂକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଲୋକମାନେ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।