ତୃତୀୟ ଲହରରେ ଅଧିକ ସଂକ୍ରମିତ ହେବେନି ଶିଶୁ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଏବେ ଏହାର ତୃତୀୟ ଲହରୀକୁ ନେଇ ଚିନ୍ତା ଦେଖା ଦେଇଛି । କିନ୍ତୁ ଏମଧ୍ୟରେ ଆସିଛି ଏକ ଆଶ୍ୱସ୍ଥିକର ଖବର । ତୃତୀୟ ଲହର ରାଜ୍ୟ ପାଇଁ ସେତେଟା ଘାତକ ହେବନି ବୋଲି ଏକ ଗବେଷଣାରେ କୁହାଯାଇଛି । ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେନି ବୋଲି ଏହି ଗବେଷଣାରେ ସ୍ପଷ୍ଟ କରାଯାଇଛିଷ । ନିକଟରେ ଏମସ ଓ ଡବ୍ଲୁଏଚଓର ମିଳିତ ହାଇସେରୋ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।
ତୃତୀୟ ଲହରରେ ଶିଶୁମାନେ ଅଧିକ ମାତ୍ରାର ସଂକ୍ରମିତ ହେବାର ସମ୍ଭାବନା କମ୍ ବୋଲି ଏହି ଗବେଷଣାରୁ ଜଣାପଡିଛି । ବୟସ୍କଙ୍କ ତୁଳନାରେ ଶିଶୁଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି । ମାର୍ଚ୍ଚ ୧୫ରୁ ଜୁନ୍ ୧୦ ମଧ୍ୟରେ ହୋଇଥିଲା ସର୍ଭେ । ୫ଟି ରାଜ୍ୟରେ ୧୦ହଜାର ସାମ୍ପୁଲ ନେଇ ସର୍ଭେ କରାଯାଇଥିଲା । ଏଲିସା କିଟ୍ରେ ହାଇ ସେରୋ ପଜିଟିଭିଟି ଟେଷ୍ଟ କରାଯାଇଥିଲା । ଯେଉଁଥିରେ ଶିଶୁଙ୍କ ଦେହରେ ଆଣ୍ଟିବଡି ଅଧିକ ଥିବା ଗବେଷଣାରୁ ଜଣାପଡିଛି । ସେପଟେ ଦ୍ବିତୀୟ ଲହରରେ ଗ୍ରାମା଼ଞ୍ଚଳ ମାନଙ୍କରେ ଲୋକ ଅଧିକ ସଂକ୍ରମିତ ହୋଇଥିଲେ । ହେଲେ ସେମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ପାଖାପାଖି ୬୩.୫ ପ୍ରତିଶତ ଦେଖାଦେଇଛି ବୋଲି ଗବେଷଣାରୁ ଜଣାପଡିଛି ।
ମହାରାଷ୍ଟ୍ରରେ ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ତେବେ ତୃତୀୟ ଲହରର ପ୍ରଭାବ ଛୁଆଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛି ମହାରାଷ୍ଟ୍ର ଟାସ୍କ ଫୋର୍ସ । ଏହାସହ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କୋଭିଡ୍ ପ୍ରୋଟୋକଲ୍ ପାଳନ ଉପରେ ଜୋର୍ ଦେଇ କହିଛନ୍ତି, ରାଜ୍ୟକୁ ବ୍ରିଟେନ୍ ଭଳି ସ୍ଥିତିର ସାମନା କରିବାକୁ ପଡ଼ିପାରେ । ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାର ୪ ସପ୍ତାହ ଭିତରେ କରୋନାର ତୃତୀୟ ଲହର ଆସିବ । ଏଥିରେ ନିମ୍ନ ଓ ମଧ୍ୟମ ବର୍ଗ ଲୋକ ଅଧିକ ପ୍ରଭାବିତ ହେବେ ବୋଲି ଟାସ୍କ ଫୋର୍ସ ଆଶଙ୍କା କରିଛି ।