ରାଜଧାନୀ ଲୁଟେରା ରାଜ: ହାତଗୋଡ଼ ବାନ୍ଧି ଲୁଟିଲେ, ଯିବା ବେଳେ କହିଗଲେ…

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଲୁଟେରାଙ୍କ ଆତଙ୍କ । ଘରେ ପଶିଲେ । ଦମ୍ପତିଙ୍କ ହାତଗୋଡ଼ ବାନ୍ଧି ହାଣିଲେ । ବନ୍ଧୁକ ମୁନରେ ୩୦ ଲକ୍ଷ ଟଙ୍କାର ସୁନାଗହଣା ଓ ୩ ଲକ୍ଷ ୨୦ ହଜାର ନଗଦ ଟଙ୍କା ନେଇ ଚମ୍ପଟ ମାରିଲେ । ଯିବା ବେଳେ କହିଗଲେ, ‘ତୁମକୁ ହତ୍ୟା କରିବାକୁ ସୁପାରୀ ମିଳିଛି, ଆମେ ଲୁଟ କରି ଯାଉଛୁ, ପରେ ଯିଏ ଆସିବେ ହତ୍ୟା କରିବେ ।’

ରକ୍ତାକ୍ତ ଲୁଟ୍ ପରେ ଏମିତି ଲୁଟେରାଙ୍କ ଏମିତି ଧମକପୂର୍ଣ୍ଣ ଚେତାବନୀ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଭୋଟପଡ଼ାର ଦୀନବନ୍ଧୁ ଦାସଙ୍କ ଘରେ । ଗତକାଲି ବିଳମ୍ବିତ ରାତିରେ ୫ରୁ ଅଧିକ ଡକାୟତ ଦୀନବନ୍ଧୁଙ୍କ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ହାତ ଗୋଡ଼ ବାନ୍ଧି ଲୁଟ୍ କରିଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ସାଇଣ୍ଟିଫିକ ଟିମ ଓ ସ୍ପେଶାଲ ସ୍କୁଓ୍ବାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି ପୋଲିସ ।

ଦୀନବନ୍ଧୁଙ୍କ ପତ୍ନୀ କହିଛନ୍ତି, ‘୫ ଜଣ ଲୋକ ହାତରେ ବନ୍ଧୁକ ସହ ମାରଣାସ୍ତ୍ର ଧରି ଘର ଭିତରେ ପଶିଥିବା ବେଳେ ବାହାରେ ଆଉ କିଛି ଜଣ ଥିଲେ । କେହି ଆସିଲେ ଗାଡ଼ି ହର୍ନ ମାରିବା ପାଇଁ ଜଣେ କହିଥିଲେ । ସେମାନେ ଘରେ ପଶିବା ପରେ ଆମକୁ ନିର୍ଧୁମ ପିଟିଥିଲେ । ପାଖରେ ଝିଅ ଶୋଇଥିଲା । ତା’ ମୁଣ୍ଡରେ ବନ୍ଧୁକ ରଖି ଧମକାଇଥିଲେ । କହିଥିଲେ ପାଟି କଲେ, ତୋ ବାପାକୁ ଗୁଳି ମାରିଦେବୁ । ଏହାପରେ ଆମ ହାତଗୋଡ ବାନ୍ଧୁ ଲୁଟକ କରିଥିଲେ । ପ୍ରତିବାଦ କରିବାକୁ ଆମକୁ ଆକ୍ରମଣ ମଧ୍ୟ କଲେ ।’

ସେ ଆହୁରି କହିଛନ୍ତି ‘ଯିବାବେଳେ ଜଣେ ଲୁଟେରା ଧମକ ଦେଇଥିଲା । କହିଥିଲା ଆମକୁ ହତ୍ୟା କରିବାକୁ ସୁପାରୀ ଦିଆଯାଇଛି । ବହୁତ ରାଜନୀତି କରୁଛ, ବନ୍ଦ କର ନହେଲେ ଆରଥରକୁ ଯିଏ ଆସିବ ହତ୍ୟା କରିବ । ଲୁଟେରାମାନେ ଟୁକୁନା ନାଁ ଧରି କାହାକୁ ଡାକୁଥିଲେ ।’

Leave a Reply