ମନରେଗାରେ ଦୁର୍ନୀତି ଓ ପିସି କାରବାରର ଗୁମର ଖୋଲିଲେ ଗ୍ରାମ ସଂଯୋଜକ

ଉଦଳା : ଗ୍ରାମ ସଂଯୋଜକ ଖୋଲିଦେଲେ ମନରେଗାରେ ହେଉଥିବା ଦୁର୍ନୀତି ଓ ପିସି କାରବାରର ଗୁମର। ନିଜ ନାମରେ ଆସିଥିବା ୨ଟି ପ୍ରକଳ୍ପ କାମ ସାରିବା ପରେ ମଧ୍ୟ ବିଲ୍ ନ ପାଇବାରୁ କାରଣ ଖୋଜୁ ଖୋଜୁ ବାହାରିଲା ସାଂଘାତିକ ସତ। ୨୦୨୦ ମସିହାରେ କପ୍ତିପଦା ବ୍ଲକ ପଦ୍ମପୋଖରୀ ପଞ୍ଚାୟତର ଗ୍ରାମ ସଂଯୋଜକ ବିଶ୍ୱନାଥ ରାଉଳଙ୍କ ନାମରେ ୭ ଲକ୍ଷ ଲେଖାଏଁ ୨ଟି ଉନ୍ନୟନ କାମ ଆସିଥିଲା। କାମ ସରିବାକୁ ଦେଢ଼ ବର୍ଷରୁ ଅଧିକ ବିତିଯାଇଥିବା ମଧ୍ୟ ଉକ୍ତ କାମର ବକେୟା ଥିବା ବିଲ୍ ମିଳିନାହିଁ । ବାରମ୍ବାର ଯନ୍ତ୍ରୀ, ପିଇଓ ଏବଂ ବିଡିଓଙ୍କ ନିକଟକୁ ଯାଇଥିଲେ ମଧ୍ୟ ଉକ୍ତ ଦୁଇ କାମର ଫାଇଲ ହଜିଯାଇଥିବା କହି ତାଙ୍କୁ ଆଜି ପର୍ଯ୍ୟନ୍ତ ବିଲ୍ ଦିଆଯାଉ ନାହିଁ। ଯାହାକୁ ନେଇ ଗ୍ରାମ ସଂଯୋଜକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉକ୍ତ କାମ ପାଇଁ ସେ ପିଇଓଙ୍କୁ ପିସି ଟଙ୍କା ଦେଇଥିବାର ପ୍ରମାଣ ମଧ୍ୟ ଦେଖାଇବା ସହିତ ପିଇଓଙ୍କ ସହିତ ହୋଇଥିବା କଥାବାର୍ତ୍ତାର ରେକର୍ଡ ମଧ୍ୟ ଶୁଣାଇଛନ୍ତି । ଯନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ମଧ୍ୟ ନଗଦ ଟଙ୍କା ଦେଇଥିବାର ସେ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ ପଦ୍ମପୋଖରୀ ପଞ୍ଚାୟତରେ ମନରେଗାରେ ବଡ଼ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଛନ୍ତି । ଉକ୍ତ ପଞ୍ଚାୟତରେ ଏହିପରି ବିଭିନ୍ନ କାମର ଫାଇଲ ହଜାଇ ଟଙ୍କା ହରିଲୁଟ୍ କରାଯାଉଥିବା କହି ମନରେଗା ଦୁର୍ନୀତିର ଗୁମର ଖୋଲିଦେଇଛନ୍ତି ଗ୍ରାମ ସଂଯୋଜକ । ତେବେ ଏ ନେଇ କପ୍ତିପଦା ବିଡ଼ିଓ ଓ ପିସି ନେଇଥିବା ପିଇଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।