ଇନ୍ଦୋରର ଲଜ୍ଜା: କରୋନା ରୋଗୀ ଚିହ୍ନଟ ପାଇଁ ଯାଇଥିବା ଡାକ୍ତରଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ

1 min read

ଇନ୍ଦୋର: କରୋନା ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ସନ୍ଧାନ କରିବାକୁ ଯାଇଥିବା ଡାକ୍ତରୀ ଟିମ୍ ଉପରେ ଆକ୍ରମଣ । ଏଭଳି ଅଘଟଣ ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଇନ୍ଦୋରର ଟାଟପାଟି ଅଂଚଳରେ ଏହି ଘଟଣା ବୁଧବାର ଦିନ ଘଟିଥିଲା । 

ସଂନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ବାବଦରେ ତଥ୍ୟ ସଂଗ୍ରହ ପାଇଁ ଡାକ୍ତରୀ ଟିମ୍ ସେଠାକୁ ଯାଇଥିଲା । ଟିମରେ ଆଶାକର୍ମୀ ଓ ପୋଲିସ ମଧ୍ୟ ଥିଲା । ନିକଟରେ ସେହି ଅଂଚଳରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।  ତାଙ୍କ ସଂପର୍କରେ କିଏ କିଏ ଆସିଛନ୍ତି, ସେମାନଙ୍କଠାରେ ସଂକ୍ରମଣର ଲକ୍ଷଣ ରହିଛି ନା ନାହିଁ ତାହା ଜାଣିବାକୁ ଟିମ୍ ସେଠାକୁ ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହ ଟିମ୍ ଆଲୋଚନା କରୁଥିବା ବେଳେ ହଠାତ କିଛି ଲୋକ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ସମୟର ଭିଡିଓରୁ ଜଣା ପଡୁଛି ଯେ, ଜଣେ ମହିଳା ଲୋକଙ୍କୁ ଉସକାଉଥିଲେ । ଆକ୍ରମଣକାରୀ ଟିମ୍ ଉପରକୁ ପଥର,ଚୌକି ଫୋପାଡିବା ସହ ଗୋଡାଇ ଗୋଡାଇ ପିଟିଥିଲେ । ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳା ଡାକ୍ତର ପରେ ସେମାନଙ୍କୁ ଜୀବନର ମାରିବାକୁ ଉଦ୍ୟମ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି । ତେବେ ପୋଲିସ ଉପସ୍ଥିତି କାରଣରୁ ସେମାନଙ୍କ ଜୀବନ ବଂଚିଯାଇଥିଲା ବୋଲି ସେ କହିଛନ୍ତି । ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ପୋଲିସ ଏନେଇ ମାମଲା ଦାଏର କରିଛି  ।

ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମୀ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ବେଳେ ଆକ୍ରମଣର ଏଭଳି ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ । ଏହାକୁ ଚାରିଆଡୁ ନିନ୍ଦା କରାଯାଉଛି ।

https://www.facebook.com/nandighoshatv/videos/505566406998339/

ସୋସିଆଲ ମିଡିଆର ଆକ୍ରମଣ ଭିଡିଓ ଭାଇରାଲ ହେବା ପରେ ଆକ୍ରମଣକାରୀଙ୍କୁ ଗିରଫ କରାଯାଉ ବୋଲି ଦାବି ହେଉଛି । ଏହାସହ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଯୋଜିତ ଟିମକୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଦାବି ହେଉଛି ।

Leave a Reply