କରୋନାର ବୃଦ୍ଧି ମାମଲାକୁ ନେଇ ଦେଶରେ ଚିନ୍ତା, ରାଜ୍ୟଗୁଡ଼ିକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି କରୋନା ମାମଲାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ ହୋଇଛି । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ଏହି ବୈଠକରେ କରୋନା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଅବସରରେ ଟେଷ୍ଟିଂ ଏବଂ ଜିନୋମ ସିକ୍ୱେନ୍ସିଂ ସହ କୋଭିଡ ନିୟମ ପାଳନର ପ୍ରସାର ବଢ଼ାଇବା ଉପରେ ଚର୍ଚ୍ଚା କରାଯାଇଛି । ଏହି ବୈଠକ ଦିଲ୍ଲୀରେ ବସିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଆମକୁ ସତର୍କ ରହିବାକୁ ପଡ଼ିବ ଏବଂ ଅନାବଶ୍ୟକ ଭୟ ନବଢ଼ାଇବା ଆବଶ୍ୟକ ।

ସେ ସମସ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଯେ ସେମାନେ ନିଜ ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସୁବିଧା ଏବଂ ଭିତ୍ତିଭୂମୀକୁ ନେଇ ସମୀକ୍ଷା ବୈଠକ କରନ୍ତୁ । ଏହି ଅବସରରେ ସେ ୧୦ ଏବଂ ୧୧ ଏପ୍ରିଲରେ ସାରା ଦେଶରେ କୋଭିଡକୁ ନେଇ ମକ ଡ୍ରିଲ କରାଇବା ପାଇଁ କହିଥିଲେ । ଏଥିସହିତ ସେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ହସ୍ପିଟାଲ ଗସ୍ତ କରିବା ପାଇଁ ମଧ୍ୟ କହିଥିଲେ । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ସରକାରମାନଙ୍କୁ କହିଥିଲେ ଯେ କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର କର ।

ମାମଲାର ବୃଦ୍ଧିକୁ ନେଇ ଲୋକମାନଙ୍କୁ ଜାଗ୍ରତ କରାଯାଉ ଏବଂ ଲୋକମାନେ ମଧ୍ୟ ଏହାକୁ ହାଲୁକାରେ ନନିଅନ୍ତୁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୬ ଏପ୍ରିଲ ପାଇଁ ଜାରି କରୋନା ରିପୋର୍ଟ ମୁତାବିକ ଗତ ୨୪ ଘଣ୍ଟାରେ ଦେଶରେ ୫,୩୩୫ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟା ଗତ ୧୯୫ ଦିନରେ ସର୍ବାଧିକ ଅଟେ । ଏହା ପୂର୍ବରୁ ଗତ ବର୍ଷ ୨୩ ସେପ୍ଟେମ୍ବରରେ ୫,୩୮୩ ମାମଲା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଦେଶରେ ସକ୍ରିୟ କୋଭିଡ ମାମଲା ସଂଖ୍ୟା ୨୫ ହଜାର ୫୮୭ରେ ପହଞ୍ଚିଛି ।