ଦେଶରେ କମୁଛି ସଂକ୍ରମିତଙ୍କ ସଂଖ୍ୟା ବଢୁଛି ସୁସ୍ଥତା ହାର

ନୂଆଦିଲ୍ଲୀ: ଦେଶରେ ଦିନକରେ  ୪୭ହଜାର ୭୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ଆଉ ୬୭୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୭୨୪  ହୋଇଥିବା ବେଳେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୦ ହଜାର ୭୭୩ ରହିଛି । ଗତ ୨୪ ଘଣ୍ଟାରେ ୫୪ ହଜାର ୧୫୭ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ସୁସ୍ଥତା ସଂଖ୍ୟା ୭୭ ଲକ୍ଷ ୬୫ ହଜାର ୯୬୬ ପହଞ୍ଚିଛି ।

ସୂଚନା ଯୋଗ୍ୟ ଯେ, ଦେଶର ୨୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୦,୦୦୦ରୁ କମିଛି । କୁହାଯାଇଛି ଯେ, ଗତ ସାତ ଦିନ ଧରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୬ ଲକ୍ଷରୁ କମ୍ ଥିଲା। ଦେଶରେ ମୋଟ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୭୮ ପ୍ରତିଶତ ରୋଗୀ ୧୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ରହିଛନ୍ତି । ୫୧ ପ୍ରତିଶତରୁ ଅଧିକ ଚିକିତ୍ସିତ ହେଉଥିବା ରୋଗୀ ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ରହିଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି ।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଥିବା ବେଳେ ଦୈନିକ ସଂକ୍ରମଣରେ କେରଳ ଓ ଦିଲ୍ଲୀ ଆଗରେ ରହିଛି । ମହାରାଷ୍ଟ୍ରରେ ୧୭ଲକ୍ଷରୁ ଅଧିକ ସଂକ୍ରମିତ ଥିବା ବେଳେ ୪୪ହଜାର ୮୦୪ଜଣଙ୍କ ମୃତ୍ୟୁ ହେଲାଣି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ୮ଲକ୍ଷରୁ ଅଧିକ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

Leave a Reply