ମୋଦିଙ୍କୁ ସୋନିଆଙ୍କ ଟାର୍ଗେଟ, କହିଲେ ପୂର୍ବପ୍ରସ୍ତୁତି ନକରି ଲକ୍‌ଡାଉନ୍‌ କରାଯାଇଛି

ନୂଆଦିଲ୍ଲୀ: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ । ଏଭଳି ଟାର୍ଗେଟ୍‌ କରିଛନ୍ତି କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ । କରୋନା ସମୟରେ ଦେଶରେ ୨୧ ଦିନର ଲକ୍‌ଡାଉନ ନିହାତି ଆବଶ୍ୟକ ଥିଲା । କିନ୍ତୁ ଏହାକୁ ପୂର୍ବ ପ୍ରସ୍ତୁତି ନକରି କାର୍ଯ୍ୟକାରୀ କରାଯାଇଛି । ଏହି ବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ହଇରାଣ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ଦିନ କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏଭଳି ଟାର୍ଗେଟ କରିଛନ୍ତି ସୋନିଆ ।

କରୋନା ଲକ୍‌ଡାଉନ୍‌ ସମୟରେ ମୋଦି ସରକାରକୁ ବିଭିନ ଦାବି କରିଛନ୍ତି ସୋନିଆ ଗାନ୍ଧୀ । ଦାବିରେ ସେ କହିଛନ୍ତି ଯେ ସରକାର ଡାକ୍ତର, ନର୍ସ ଏବଂ ମେଡିକାଲ କର୍ମଚାରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବା ଉଚିତ । ସରକାର ନିର୍ଦ୍ଦିଷ୍ଟ ଡାକ୍ତରଖାନା, ଶଯ୍ୟା ସଂଖ୍ୟା, କ୍ୟାଣ୍ଟିନ୍ ଏବଂ ପରୀକ୍ଷା ସୁବିଧା ଏବଂ ଚିକିତ୍ସା ସାମଗ୍ରୀର ସବିଶେଷ ତଥ୍ୟ ପ୍ରକାଶ କରିବା ଉଚିତ୍ । ଏହା ହେଉଛି ଚାଷ ଅମଳର ସମୟ ସେଥିପାଇଁ ଚାଷୀଙ୍କ ଉପରେ ପ୍ରତିବନ୍ଧକ ହଟାଇବା ଉଚିତ୍ । ଯାହାଫଳରେ ସେମାନେ ଚାଷ ଅମଳ ପାଇଁ ବାହାରକୁ ଯାଇପାରିବେ ।

ଖାଲି ସେତିକି ନୁହେଁ ମଧ୍ୟବିତ୍ତଙ୍କ ପାଇଁ ଏକ ସାଧାରଣ ସର୍ବନିମ୍ନ ରିଲିଫ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସରକାର, ସାମ୍ମୁଖ୍ୟ ସଂଗଠନ, ଆମର ନେତା ତଥା କାର୍ଯ୍ୟକର୍ତ୍ତାମାନେ ଅଧିକ ବିପଦରେ ଥିବା ପରିବାରକୁ ସେମାନଙ୍କ ସହାୟତା ପ୍ରଦାନ କରିବା ଉଚିତ୍ ।

ସେପଟେ ରାହୁଲ ଗାନ୍ଧି ମଧ୍ୟ ମୋଦି ସରକାର ଉପରେ ଟାର୍ଗେଟ କରିଛନ୍ତି  । ସେ କହିଛନ୍ତି ଯେ ଆମେ ଦୁଇମାସ ଧରି କରୋନା ଉପରେ ନଜର ରଖିଛୁ ଏବଂ ବିଶେଷଜ୍ଞଙ୍କ ସହ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରୁଛୁ । ଦୁନିଆରେ ଏପରି କୌଣସି ଦେଶ ନାହିଁ ଯିଏ ଶ୍ରମିକମାନଙ୍କ ଜୀବିକା, ଖାଇବା ଏବଂ ଖାଦ୍ୟର ବ୍ୟବସ୍ଥା ନକରି  ଲକ୍‌ଡାଉନ୍‌ କରିଛି ।

Leave a Reply