ଖୁସି ଖବର, ରାଜ୍ୟର ଏହି ଜିଲ୍ଲାରେ ଏବେ ନାହାଁନ୍ତି କରୋନା ରୋଗୀ

2 min read

ଭୁବନେଶ୍ୱର: କରୋନା ଭୟରେ ସାରା ରାଜ୍ୟ । ବଢ଼ିବାରେ ଲାଗିଛି ସଂକ୍ରମଣ । ସଂକ୍ରମଣ ଭୟ ଭିତରେ ସୁସ୍ଥତା ଆଣିଛି ଖୁସି ଖବର । ରାଜ୍ୟର ଗୋଟିଏ ଜିଲ୍ଲା ଏବେ କରୋନା ମୁକ୍ତ । ଅର୍ଥାତ୍ ଉକ୍ତ ଜିଲ୍ଲାରେ ଏବେ ଜଣେ ବି କରୋନା ଆକ୍ରାନ୍ତ ନାହାଁନ୍ତି । ଏହି ଜିଲ୍ଲାଟି ହେଉଛି ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର । ଗତକାଲି ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ୍ ରହିଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ଜୁଲାଇ ୧୬ ତାରିଖ ସୁଦ୍ଧା ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ଥିବା ଗ୍ରାଫରୁ ଜଣାପଡ଼ୁଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସୁବର୍ଣ୍ଣପୁର ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି । ଜୁଲାଇ ୮ ତାରିଖରେ ଶେଷଥର ପାଇଁ ଜିଲ୍ଲାରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସୁବର୍ଣ୍ଣପୁରର ଷ୍ଟ୍ରାଟେଜି

ରାଜ୍ୟରେ ସଂକ୍ରମଣ ପିକ୍ ପଏଣ୍ଟରେ ଥିବାବେଳେ ସୁବର୍ଣ୍ଣପୁର ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ପାଲଟିଛି । ଜିଲ୍ଲା ପ୍ରଶାସନ ୨ଟି ପଦକ୍ଷେପ ଦ୍ୱାରା ସଂକ୍ରମଣକୁ ପ୍ରତିହତ କରିଥିବା କୁହାଯାଉଛି । ପ୍ରଥମତଃ ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି । ଦ୍ୱିତୀୟରେ ଅନ୍ୟ ଜିଲ୍ଲା ଭଳି ସୁବର୍ଣ୍ଣପୁର ଜିଲ୍ଲାରେ ଶନି ଓ ରବିବାର ସାପ୍ତାହିକ ସଟଡାଉନ୍ କରାଯାଉଛି । ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳରେ ସଂକ୍ରମଣ ରୋକିବାକୁ ଆଜିଠାରୁ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହେଉଛି । ଆଜି ରାତି ୯ଟାରୁ ଲକଡାଉନ୍ ଆରମ୍ଭ ହେବ । ଲକଡାଉନ୍ ସମୟରେ ପରିବା, କ୍ଷୀର ଭଳି ଦୋକାନ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲି ରହିବ ।

Leave a Reply