ଦେଶରେ ୧୨୦୦ ଡେଇଁଲା ମୃତ୍ୟୁସଂଖ୍ୟା, ମହାରାଷ୍ଟ୍ରର ଅବସ୍ଥା ଶୋଚନୀୟ

ନୂଆଦିଲ୍ଲୀ: ନିଦ ହଜାଇଛି କରୋନା ମହାମାରୀ । ତିବ୍ର ଗତିରେ ଦେଶରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୯୩ ଟି କରୋନା ମାମଲା ସାମ୍ନାକୁ ଆସିଛି । ଯାହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ କରୋନା ଚିହ୍ନଟଙ୍କ ସଂଖ୍ୟା ଭାବେ ଧରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୭୧ ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ସହିତ ଦେଶରେ ସମୁଦାୟ କରୋନା ମାମଲା ୩୭୩୩୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରେ ୨୬୧୬୭ ସକ୍ରିୟ ମାମଲା ଅନ୍ତର୍ଭୁକ୍ତ ଥିବା ବେଳେ ୯୯୫୦ ଲୋକ ସୁସ୍ଥ ହୋଇଛନ୍ତି ଏବଂ ୧୨୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ମହାରାଷ୍ଟ୍ର ୧ ନମ୍ବର ରହିଛି । ଏହାପୂର୍ବରୁ ଶୁକ୍ରବାର ଦିନ ମହାରାଷ୍ଟ୍ରରେ ୧୦୦୮ ମାମଲା ରୁଜୁ ହୋଇଥିବା ରେକର୍ଡ କରାଯାଇଛି । ଯେଉଁଥିରୁ ୭୪୧ଟି ମାମଲା କେବଳ ମୁମ୍ବାଇର ଥିଲା ।

ଶୁକ୍ରବାର ଦିନ ମହାରାଷ୍ଟ୍ର ପରେ ତାମିଲନାଡୁ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୦୩ ଜଣଙ୍କ କରୋନା ସଂକ୍ରମିତ ଚିହ୍ନଟ ହୋଇଛି ।  ଗୁଜୁରାଟର ୩୨୬ ଜଣ ଏବଂ ଦିଲ୍ଲୀରେ ୨୨୩ ଜଣଙ୍କଠାରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି । କରୋନାରେ ଅଧିକ ସଂଖ୍ୟକ ମୃତ୍ୟୁରେ ମହାରାଷ୍ଟ୍ର ମଧ୍ୟ ଏକ ନମ୍ବର ରହିଛି । ସେଠାରେ ଶୁକ୍ରବାର ଦିନ କରୋନା କାରଣରୁ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା କାରଣରୁ ୪୮୫ ଲୋକ ପ୍ରାଣ ହରାଇଛନ୍ତି। ଗତକାଲି ଗୁଜୁରାଟରେ ୨୨ଜଣ, ମଧ୍ୟପ୍ରଦେଶରେ ୮ ଜଣ, ରାଜସ୍ଥାନରେ ୪ଜଣ ଏବଂ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁ ଏବଂ ବିହାରରେ କରୋନା ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ଏସବୁ ଖବର ମଧ୍ୟରେ ରହିଛି କିଛି ଭଲ ଖବର । ଏବେ ପର୍ଯ୍ୟନ୍ତ ୯୯୫୦ଜଣ କରୋନାକୁ ମାତ୍ ଦେଇଛନ୍ତି ଯାହା ଦେଶରେ କରୋନା ସଂକ୍ରମିତଙ୍କର ୨୬ ପ୍ରତିଶତ ।

Leave a Reply