କୋଟିଏ ଟଙ୍କାର ହୀରା ପାଇଁ କନଷ୍ଟେବଳ ଶଙ୍କରକୁ କରାଯାଇଥିଲା ହତ୍ୟା

ବଲାଙ୍ଗୀର: ସୋନପୁର ରିଜର୍ଭ କନଷ୍ଟେବଳ ଶଙ୍କର ଭାନୁ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ । କୋଟିଏ ଟଙ୍କାର ହୀରା ପାଇଁ ଶଙ୍କରଙ୍କୁ ଯୋଜନାବଦ୍ଧ ଭାବେ ହୋଟେଲକୁ ଡାକି ହତ୍ୟା କରାଯାଇଥିବା କହିଛି ବଲାଙ୍ଗୀର ପୋଲିସ । ଏଥିରେ ୮ ଜଣ ସମ୍ପୃକ୍ତ ଥିବା ପୋଲିସ କହିଛି । ଏକ ପ୍ରେସମିଟରେ ଏହି ଖୁଲାସା କରିଛନ୍ତି ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରୀ ।

ରିଷିକେଶ କହିଛନ୍ତି, ‘ଘଟଣାରେ ୪ ଅଭିଯୁକ୍ତ ରାଜ୍ୟ ବାହାରର ଥିବାବେଳେ ୪ ଜଣ ଓଡ଼ିଶାର । ଦୀର୍ଘ ବର୍ଷ ଧରି ବଲାଙ୍ଗୀରରୁ ସୁରତକୁ ଚାଲିଥିଲା ବେଆଇନ ହୀରା ଓ ରତ୍ନ ପଥର କାରବାର । ରେଳ ଷ୍ଟେସନ ଛକରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥରେ ହେଉଥିଲା ଡିଲ । ଜାଲ ପରିଚୟପତ୍ର ଦେଇ ହୋଟେଲ ରୁମ ବୁକ କରୁଥିଲେ । ବୀରେନ ସିଂହ ନାମରେ ଜାଲ ପରିଚୟ ପତ୍ର ତିଆରି କରି ଘଟାଇଥିଲେ ହତ୍ୟାକାଣ୍ଡ । ବିହାର, କଲିକତା ଓ ପଞ୍ଜାବର କୁଖ୍ୟାତ ରତ୍ନପଥର ବ୍ୟବସାୟୀ ରଚିଥିଲା ଷଡଯନ୍ତ୍ର । ଟଙ୍କା ଲୋଭରେ ସେମାନଙ୍କୁ ସହଯୋଗ ଦେଇଥିଲେ ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରର ୪ ଅଭିଯୁକ୍ତ ।’

ଟାଉନ୍ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୨ ଜଣ ଫେରାର୍ ଅଛନ୍ତି । ଗିରଫ ଅଭିଯୁକ୍ତମାନେ ଝାରଖଣ୍ଡ କୋଡ଼ମା ଜିଲ୍ଲାର ପଙ୍କଜ କୁମାର ଓ ସୂରଜ ବନାରୱାଲ, ଅନୁଗୁଳ ଆଠମଲ୍ଲିକର କୃଷ୍ଣ ମେହେର, ବୌଦ୍ଧ ଇଚ୍ଛାପୁରର ମନୋରଞ୍ଜନ ସାଥୁଆ, ସୋନପୁର ଜିଲ୍ଲା ନନ୍ଦନମାଲର ନିତାଇ କର ଏବଂ ବଲାଙ୍ଗୀର ପାଟଣାଗଡ଼ ବରପଦର ଗାଁର ରୋହିତ ସା । ଗତ ୧୭ ତାରିଖରେ ବଲାଙ୍ଗୀର ରେଳ ଷ୍ଟେସନ ରାସ୍ତା ଇନ୍ଦ୍ରପ୍ରସ୍ତ ହୋଟେଲରେ ଘଟିଥିଲା ହତ୍ୟାକାଣ୍ଡ । ରୁମ ନଂ ୨୧୨ରେ ନିର୍ମମ ଭାବେ ଶଙ୍କରକୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତ ।

ହାତଗୋଡ ବନ୍ଧା ଅବସ୍ଥାରେ ବାଥରୁମରୁ ମୃତଦେହ ଉଦ୍ଧାର କରିଥିଲା ଟାଉନ୍ ଥାନା ପୋଲିସ । ଗତ ୧୬ ତାରିଖ ଦିନ ବିରେନ୍ ସିଂ ନାମକ ଜଣେ ବ୍ୟକ୍ତି ନାଁରେ ହୋଟେଲ ରୁମ ବୁକ ହୋଇଥିଲା । ଅଭିଯୁକ୍ତଙ୍କୁ ଭେଟିବାକୁ ଯାଇ ହତ୍ୟାର ଶିକାର ହୋଇଥିଲେ ପୋଲିସ କନଷ୍ଟେବଳ ଶଙ୍କର । ମୁଖ୍ୟ ଅଭିଯୁକ୍ତ ବିରେନ ସିଂଙ୍କ ଘର ବାସେପୁର ଧନବାଦ ଜିଲ୍ଲାରେ । ହୋଟେଲ ରେଜିଷ୍ଟରରେ ଉଲ୍ଲେଖ ରହିଥିଲା ବିରେନ ସିଂଙ୍କ ନାଁ ।

୧୬ ତାରିଖରେ କନଷ୍ଟେବଳ ଶଙ୍କରକୁ ଏମାନେ ହତ୍ୟା କରିବା ପରେ ତାଙ୍କ କାରକୁ ଖୁଜେନପାଲି ରେଳ ଫାଟକ ନିକଟରେ ଦୁର୍ଘଟଣା କରାଯାଇଥିଲା । ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର୍ ଯାଇଥିଲେ ଅଭିଯୁକ୍ତ । ୧୭ ତାରିଖରେ ଟାଉନ୍ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଂଚି ଛାନଭିନ ଆରମ୍ଭ କରିଥିଲେ । ରାଜ୍ୟ ବାହାରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।