ଇସ୍ରୋର ଓଡ଼ିଆ ବୈଜ୍ଞାନିକଙ୍କ ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ଖାଦ୍ୟରେ ଦିଆଯାଇଥିଲା ଆର୍ସେନିକ୍

ନୂଆଦିଲ୍ଲୀ: ଓଡ଼ିଆ ବୈଜ୍ଞାନିକଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗ। ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତଥା ଅହମ୍ମଦାବାଦ ସ୍ପେସ ଆପ୍ଲିକେସନ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ତପନ ମିଶ୍ରଙ୍କୁ ବିଷ ଦେଇ ମାରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନିଜ ସୋସିଆଲ୍‌ ମିଡିଆ ପେଜ୍‌ରେ ପୋଷ୍ଟ କରିଛନ୍ତି ବୈଜ୍ଞାନିକ ତପନ ମିଶ୍ର। ୨୦୧୭ ମେ ୨୩ତାରିଖରେ ତାଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା।

 

ହେଲେ କିଏ ଓ କାହିକି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ, ସେ ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି। ବେଙ୍ଗାଲୁରୁ ଇସ୍ରୋ ମୁଖ୍ୟାଳୟରେ ପ୍ରମୋସନ ଇଣ୍ଟରଭ୍ୟୁ ସମୟରେ ତାଙ୍କୁ ଖାଦ୍ୟରେ ଆର୍ସେନିକ ଟ୍ରାଇଅକ୍ସାଇଡ୍ ମିଶାଇ ଖାଇବାକୁ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଦୋଷା ଓ ଚଟଣୀରେ ବିଷ ମିଶା ଯାଇଥିବା ସେ କହିଛନ୍ତି।  ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲେ।

ହେଲେ ୨ବର୍ଷ ଧରି ତାଙ୍କୁ ଚିକିତ୍ସିତ ହେବାକୁ ପଡ଼ିଥିଲା। ଶ୍ୱାସକ୍ରିୟା, ଚର୍ମ ଓ ନଖରେ ସମସ୍ୟା ଦେଖାଦେଇଥିବା ସେ କହିଛନ୍ତି। ସେହିପରି ଭୟଙ୍କର ସ୍ନାୟୁଜନିତ ସମସ୍ୟା ଦେଖାଦେଇଥିଲା। ତାଙ୍କ ଖାଦ୍ୟରେ ମିଶା ଯାଇଥିବା ବିଷ ରଙ୍ଗହୀନ, ସ୍ୱାଦହୀନ ଓ ଗନ୍ଧହୀନ ହୋଇଥିବାରୁ ସନ୍ଦେହ ଘେରକୁ ଆସିନଥିଲା।

ଚଳିତ ମାସରେ ଇସ୍ରୋର ବରିଷ୍ଠ ପରାମର୍ଶଦାତା ପଦରୁ ତପନ ମିଶ୍ର ଅବସର ନେବେ। ଏହାପୂର୍ବରୁ ସେ ମେଡିକାଲ ରିପୋର୍ଟ ସହ ପୂରା ଘଟଣା ସଂପର୍କରେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଘଟଣାର ତଦନ୍ତ କରି ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ର ଉପରୁ ପରଦା ହଟାଇବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave a Reply