ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବ କଂଗ୍ରେସ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ବିଧାନସଭା ଅଧିବେଶନର ଷଷ୍ଠ ଦିନ। ୨୦୨୪-୨୫ ଆର୍ଥିକ ବଜେଟ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ । ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଆଣିଛନ୍ତି। ଏହା ଉପରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କର ମତ ରଖିବେ । ଏହାରି ଭିତରେ ବିରୋଧୀଙ୍କ ହାତରେ ଲାଗିଛି ନୂଆ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ଅଧିବେଶନ ଚାଲିଥିବା ସମୟରେ କିପରି ଗୃହ ବାହାରେ ଏକ ସରକାରୀ ଘୋଷଣା କଲେ ତାହାକୁ ନେଇ ସରକାରଙ୍କୁ ଗୃହରେ ଘେରିବେ ବିରୋଧୀ l ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବାବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଗୃହର ଅଧିବେଶନ ଚାଲିଥିବା ସମୟରେ କୌଣସି ନୀତିଗତ ନିଷ୍ପତ୍ତି ଗୃହ ବାହାରେ ଘୋଷଣା କରାଯାଇ ପାରିବ ନାହିଁ । ଏହାକୁ ପ୍ରଥମେ ଗୃହରେ ପାଠ କରିବାର ଆବଶ୍ୟକତା ରହିଛି । ହେଲେ ମୁଖ୍ଯମନ୍ତ୍ରୀ ଏହି ନିୟମ ଭାଙ୍ଗିଲେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ନୀତି ଆୟୋଗ ବୈଠକରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଯାଇନଥିବାରୁ ଏହାକୁ ଗୃହରେ ଉଠାଇପାରନ୍ତି ବିରୋଧି l ଅନ୍ୟପଟେ ଆଜି ଗୃହରେ ରହିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ସ୍ୱରାଷ୍ଟ୍ର,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଅର୍ଥ ଭଳି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମ ରହିଛି । ଯେହେତୁ ଗୋଟେ ଦୁଇଟି ବିଭାଗ ଛାଡିଦେଲେ ଅନ୍ୟ ମନ୍ତ୍ରାଳୟ ଗୁଡ଼ିକ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରହିଛି ତେଣୁ ଆଜି ଗୃହ କିପରି ଚାଲୁଛି ତାଉପରେ ସମସ୍ତଙ୍କ ନଜର ରହିଛି l