ଭାରତ ଯୋଡ଼ୋ ଯାତ୍ରାରେ ଦୁଃଖଦ ଘଟଣା, ହୃଦଘାତରେ ପ୍ରାଣ ହରାଇଲେ କଂଗ୍ରେସ ସାଂସଦ

ଚଣ୍ଡିଗଡ଼: ପଞ୍ଜାବରେ ଭାରତ ଯୋଡୋ ଯାତ୍ରାବେଳେ ହୃଦଘାତରେ ପ୍ରାଣ ହରାଇଲେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀ । ଫିଲାଉର ସହରରେ ଆଜି ଯାତ୍ରା ଚାଲିଥିବାବେଳେ ସେଥିରେ ସାମିଲ ଥିଲେ ସାଂସଦ । ମାତ୍ର ରାସ୍ତାରେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ନିକଟସ୍ଥ ଫଗଓ୍ବାରା ହସ୍ପିଟାଲକୁ ଆମ୍ବୁଲାନ୍ସରେ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ହସ୍ପିଟାଲକୁ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧି ଯାଇ ସାଂସଦଙ୍କ ଶେଷଦର୍ଶନ କରିଥିଲେ ।

ଏହି ଦୁଃଖଦ ଘଟଣା ପରେ ଭାରତ ଯୋଡୋ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗତ ବୁଧବାର ଫତେଗଡ଼ ସାହିବଠାରୁ ଭାରତ ଯୋଡୋ ଯାତ୍ରାର ପଞ୍ଜାବ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସାଂସଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଦଳ ଲାଗି ଏହା ଏକ ବଡ଼ ଧରଣର କ୍ଷତି ବୋଲି ସେ କହିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ବି ସାଂସଦଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।