ଜେଲରେ ଡାଲି,ରୁଟି ଖାଇବାକୁ ମନାକଲେ ସିଦ୍ଧୁ, ହସ୍ପିଟାଲରେ ଭର୍ତ୍ତି
ଚଣ୍ଡିଗଡ଼: ବର୍ତ୍ତମାନ ପଟିଆଲା ଜେଲରେ ସଜ୍ଜା କାଟୁଛନ୍ତି କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ । ୩୩ ବର୍ଷ ପୁରୁଣା ରୋଡ ରେଜ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଯାଇଥିବା ସଜ୍ଜା କାଟୁଛନ୍ତି । ଏହାରି ମଧ୍ୟରେ ଖବର ଆସୁଛି ଯେ, ସିଦ୍ଧୁ ଜେଲରେ ଦିଆଯାଉଥିବା ରୁଟି ଓ ଡାଲି ଖାଇବାକୁ ମନା କରିଦେଇଛନ୍ତି । ତାଙ୍କୁ ପଟିଆଲା ସ୍ଥିତ ରାଜେନ୍ଦ୍ର ହସ୍ପିଟାଲ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକ୍ଅପ୍ ହେବ ।
ଖବର ମୁତାବକ ସିଦ୍ଧୁଙ୍କୁ ନେଇ ପଟିଆଲାର ରାଜେନ୍ଦ୍ର ହସ୍ପିଟାଲ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକଅପ୍ କରାଯିବ । ଏ ନେଇ ଜେଲ ପ୍ରଶାସନ ଦ୍ୱାରା ମେଡିକାଲ ଟିମ୍ ଗଠନ କରାଯାଇଛି । ସେମାନେ ସିଦ୍ଧୁଙ୍କ ପାଇଁ ଡାଏଟ ପ୍ଳାନ୍ ପ୍ରସ୍ତୁତ କରିବେ । ସିଦ୍ଧୁ କହିବା ହେଲା ଯେ, ତାଙ୍କୁ ଅଟା ନେଇ ଆଲର୍ଜି ରହିଛି । ଏଣୁ ସେ ଏଭଳି ଖାଦ୍ୟ ଖାଇପାରିବେ ନାହିଁ । ସେ କେବଳ ସାଲାଡ ଖାଇବେ ।
ଗହମକୁ ନେଇ ସିଦ୍ଧୁଙ୍କ ଆଲାର୍ଜି ରହିଥିବା ବେଳେ ତାଙ୍କ ଲିଭରରେ ମଧ୍ୟ ସମସ୍ୟା ରହିଛି । ଏହାକୁ ଦେଖି ସିଦ୍ଧୁ ଜେଲ ପ୍ରଶାସନଙ୍କୁ ସ୍ପେଶାଲ ଡାଏଟ ମାଗିଛନ୍ତି । ସିଦ୍ଧୁଙ୍କ ଗଣମାଧ୍ୟମ ପରାମର୍ଶଦାତା ସୁରିନ୍ଦର ଡଲ୍ଲା କହିଛନ୍ତି ଯେ, ସିଦ୍ଧୁଙ୍କୁ ଗହମ ନେଇ ଆଲାର୍ଜି ରହିଛି । ସେ ଗହମ ରୁଟି ଖାଇପାରିବେ ନାହିଁ । ଦୀର୍ଘ ଦିନ ଧରି ସେ ରୁଟି ଖାଉନାହାନ୍ତି । ଏ ନେଇ ସେ ପୂର୍ବରୁ ମଧ୍ୟ ସୂଚିତ କରିଛନ୍ତି । ଅପରପକ୍ଷରେ କୋର୍ଟଙ୍କ ପକ୍ଷରୁ ଅପରାହ୍ଣ ୪ଟା ସୁଦ୍ଧା ତାଙ୍କୁ ମେଡିକାଲ ରିପୋର୍ଟ ମଗାଯାଇଛି ।
ସୂଚନା ଯୋଗ୍ୟ ଯେ, ୩୪ ବର୍ଷ ତଳର ଏକ ରୋଡ୍ ରେଜ୍ ମାମଲାରେ ସଜ୍ଜା କାଟୁଛନ୍ତି ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ୧ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିବା ପରେ ସିଦ୍ଧୁ ପଞ୍ଜାବ ପଟିଆଲାରେ ଏକ ଅଦାଲତରେ ଆତ୍ମସମର୍ପଣ କରିଥିଲେ ।
୧୯୮୮ ଡିସେମ୍ବର ୨୭ ତାରିଖରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଧୁଙ୍କ ସହ ଗୁରନାମ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହା ପରେ ସିନ୍ଧୁ ଓ ତାଙ୍କର ଜଣେ ବନ୍ଧୁ ରୁପିିନ୍ଦର ସିଂ ସାନ୍ଧୁ ମିଶି ଗୁରନାମଙ୍କୁ ଗାଡ଼ିରୁ ଟାଣିବା ସହ ତାଙ୍କୁ ପିଟିଥିଲେ । ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ୧୯୯୯ ମସିହାରେ ଏକ ତଳ କୋର୍ଟ ସିଦ୍ଧୁଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ । ହେଲେ ୨୦୦୬ରେ ଚଣ୍ଡିଗଡ଼ ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଦେଇଥିଲେ ।