ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିବା ନେଇ କୌଣସି ପ୍ରମାଣ ନାହିଁ : ଦିଗବିଜୟ ସିଂ

1 min read

ଜମ୍ମୁ: ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଦିଗବିଜୟ ସିଂ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ଜମ୍ମୁରେ ଭାରତ ଯୋଡୋ ଯାତ୍ରା ଅବସରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ ସର୍ଜିକାଲ ଷ୍ଟ୍ରାଇକ କିମ୍ବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ କୌଣସି ରିପୋର୍ଟ ରଖିନାହାନ୍ତି । ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ମିଛ ପ୍ରଚାର କରୁଥିବାର ଅଭିଯୋଗ କରିଛନ୍ତି ।

ପ୍ରକାଶଥାଉକି ୨୦୧୯ରେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ ଦ୍ୱାରା କରାଯାଇଥିଲା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଯାଇଥିଲେ । ସେହିପରି ଉରିରେ ଆତଙ୍କବାଦୀ ଆକ୍ରମଣର ୧୦ ଦିନ ପରେ ଭାରତୀୟ ଯବାନମାନେ ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ଟିପ୍ପଣୀ ସୋମବାର ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାର ଜମ୍ମୁ ଗସ୍ତ ସମୟରେ ଆସିଛି । ଏକ ସଭାରେ ଦିଗବିଜୟ କହିଥିଲେ, ଆମର ସିଆରପିଏଫର ୪୦ ଯବାନ ପୁଲୱାମାରେ ଶହୀଦ ହୋଇଥିଲେ ।

ସିଆରପିଏର ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ ଯେ ଯବାନମାନଙ୍କୁ ଏୟାରଲିଫ୍ଟ କରାଯିବା ଆବଶ୍ୟକ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ସହମତ ହୋଇନଥିଲେ । ଏମିତି ଭୁଲ କେମିତି ହେଲା? ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ ପୁଲୱାମା ଉପରେ କୌଣସି ରିପୋର୍ଟ ରଖାଯାଇନାହିଁ । ସେ ଆଗକୁ କହିଥିଲେ, ପ୍ରଧାନମନ୍ତ୍ରୀ ଦାବି କରିଥିଲେ ଯେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି, କିନ୍ତୁ ପ୍ରମାଣ ଦେଖାଇନଥିଲେ । ସେ କେବଳ ମିଛ ପ୍ରଚାର କରିଥାନ୍ତି । ଉରି ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧୦ ଦିନ ପରେ ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା, ଯେଉଁଥିରେ ୧୮ ସୈନିକ ଶହୀଦ ହୋଇଥିଲେ ।