ପିପିଲି ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଜଗନ୍ନାଥଙ୍କ ଜମି ଶାଗମାଛ ଦରରେ ବିକିଛନ୍ତି ପତ୍ନୀ

ଭୁବନେଶ୍ୱର: ଧର୍ମକୁ ନେଇ ରାଜନୀତି, ପୁଣି ଧର୍ମକୁ ଠୋକର । ଭୋଟ ରାଜନୀତିରେ ଧର୍ମକୁ ମୁଦ୍ଧା କରି ସର୍ବଦା ରଣାଙ୍ଗନକୁ ଓହ୍ଲାଇଥାଏ ବିଜେପି । ଆଉ ଏହି ଭୋଟକୁ ବାଲାଟ ବକ୍ସ ପର୍ଯ୍ୟନ୍ତ ଭିଡିନେଉଥିବା ଦଳ ନାଁରେ ହିଁ ଆସିଛି ସାଙ୍ଘାତିକ ଅଭିଯୋଗ । ଓଡିଆର ଅସ୍ମିତା, ପ୍ରତି ପରିବାରର ଆରାଧ୍ୟଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ନେଇ ଖେଳ ଖେଳିଥିବା ନେଇ ହୋଇଛି ଅଭିଯୋଗ । ଆଉ ଏହି ଅଭିଯୋଗ ଆସିଛି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀଙ୍କ ନାଁ ରେ ।

ଯେଉଁ ଜଗନ୍ନାଥଙ୍କୁ ନେଇ ପୁରୀରେ ରାଜନୀତି କରୁଛି ବିଜେପି, ସେହି ମହାପ୍ରଭୁଙ୍କ ଜମିକୁ ଶାଗମାଛ ଦରରେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବିକ୍ରି କରାଯିବା ଘଟଣାରେ ସଂଶ୍ଲିଷ୍ଟ ବିଜେପି ପ୍ରାର୍ଥୀଙ୍କ ପତ୍ନୀ ଡକ୍ଟର ସ୍ମିତା ମହାନ୍ତି । ଏହି ଅଭିଯୋଗ ଆଣିଛି କଂଗ୍ରେସର ଓବିସି ସେଲ । ସ୍ମିତା ୨୦୧୨ ମସିହାରେ ଯେତେବେଳେ ପୁରୀ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଥିଲେ, ସେହି ସମୟରେ ଜଗନ୍ନାଥଙ୍କ ସମ୍ପତ୍ତି ଶାଗ ମାଛ ଦରରେ ବିକ୍ରି ହୋଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ବିଧୁଭୂଷଣ ମହାପାତ୍ର ।

ସୂଚନା ମୁତାବକ ୨୦୧୨ ମସିହା ଜାନୁଆରୀ ୯ ତାରିଖରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ପ୍ରାୟ ୯୩ଟି ଦଲିଲ ଅନୁସନ୍ଧାନ କରିବା ପରେ ଏହି କୋଟି କୋଟିର କଳା କାରବାର କଥା ପଦାକୁ ଆସିଛି । ବିଧୁଭୂଷଣ ଏଇ ମାସ ୪ ତାରିଖରେ ଘଟଣା ସମ୍ପର୍କରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଓ ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଘଟଣାରେ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଏହି ସବୁ ଅଫିସରମାନେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମନ୍ଦିର ପ୍ରଶାସନ, ରାଜସ୍ୱ ଓ ଆଇନ ବିଭାଗରେ କାର୍ଯ୍ୟ କରୁଛନ୍ତି । ସେପଟେ ଜଗନ୍ନାଥଙ୍କ ଜମି ହାତେଇବାରେ ସଫଳ ହୋଇଥିବା ଏହି ସରକାରୀ ଅଫିସରମାନଙ୍କର ଇତି ମଧ୍ୟରେ ପଦୋନ୍ନତି ପାଇଥିବା ବିଧୂଭୂଷଣଙ୍କ ଅଭିଯୋଗ ଆଣିଛନ୍ତି ।

Leave a Reply