୨୦୨୨-୨୩ ନୂଆ ଶିକ୍ଷାବର୍ଷକୁ ନେଇ ଦ୍ବନ୍ଦ୍ବ: ସରକାରୀ ସ୍କୁଲ ଛାତ୍ରଛାତ୍ରୀ ପଛରେ ପଡ଼ିବା ଆଶଙ୍କା

1 min read

ଭୁବନେଶ୍ବର: କେବେ ଆରମ୍ଭ ହେବ ୨୦୨୨-୨୩ ନୂଆ ଶିକ୍ଷାବର୍ଷ ? CBSE ବିଦ୍ୟାଳୟ ଗୁଡିକରେ ଏପ୍ରିଲ ୪ ତାରିଖରୁ ନୂଆ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ ହୋଇସାରିଛି । ହେଲେ  ସରକାରୀ ସ୍କୁଲରେ କେବେ ବୋଲି ପ୍ରଶ୍ନ କରିଛି ରାଜ୍ୟ ଅଭିଭାବକ ସଙ୍ଘ ?

୨୦୨୨-୨୩ ନୂତନ ଶିକ୍ଷାବର୍ଷକୁ ନେଇ ଉପୁଜିଛି ଦ୍ବନ୍ଦ୍ବ । ସରକାରୀ ଓ ବେସରକାରୀ ସବୁସ୍ତରରେ ଏକକ ଶିକ୍ଷାବର୍ଷ ପାଇଁ ଉଠିଛି ଦାବି । କୋଭିଡ ପାଇଁ କ୍ଷତିଗ୍ରସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଜରୁରୀ । ସରକାରୀ ସ୍କୁଲ ଛାତ୍ରଛାତ୍ରୀ ପଛରେ ପଡିବା ଆଶଙ୍କା । କେବେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ ? କେବେଠାରୁ ୨୦୨୨-୨୩ ପାଇଁ ପିଲାଏ ପଢିବେ ପାଠ ?

ସାରା ଦେଶରେ ନୂଆ ଶିକ୍ଷାବର୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି, ହେଲେ ରାଜ୍ୟରେ ଚାଲିଛି ପୁରୁଣା ପାଠର ପୁନରାବୃତ୍ତି । ନବମ ଶ୍ରେଣୀର ସମେଟିଭ ପରୀକ୍ଷା ଆସନ୍ତା ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏପ୍ରିଲ ୨୯ରୁ ଆରମ୍ଭ ହେବ ଦଶମ ଶ୍ରେଣୀ ସମେଟିଭ-୨ ପରୀକ୍ଷା । ସେଥିପାଇଁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଉଛି ।

ସେହିଭଳି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା ଚାଲିଥିବା ବେଳେ ପରୀକ୍ଷା ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇନାହିଁ । ସେପଟେ CBSE ଏବଂ ICSE ତଥା ଘରୋଇ ବିଦ୍ୟାଳୟଗୁଡିକରେ ଏପ୍ରିଲ ୪ ତାରିଖରୁ ରାଜ୍ୟରେ ନୂଆ ଶିକ୍ଷାବର୍ଷ ପାଇଁ ଆରମ୍ଭ ହୋଇଛି ପାଠପଢା । ତେବେ ନୂଆ ଶିକ୍ଷାବର୍ଷ କେବେଠୁ ଆରମ୍ଭ ହେବ ? ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପରୀକ୍ଷା କେବେ ହେବ ତାହା ସ୍ପଷ୍ଟ ହୋଇନି । ଖୁବଶୀଘ୍ର ଏନେଇ ବିଭାଗ ନିଷ୍ପତ୍ତି ନେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

ପ୍ରତିବର୍ଷ ଏପ୍ରିଲ ୨ ତାରିଖରୁ ରାଜ୍ୟରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୁଏ । ହେଲେ କୋଭିଡ ପାଇଁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଏବେ ବି ସରକାରୀ ସ୍କୁଲରେ ପୁରୁଣା କୋର୍ସ ଶେଷ ହୋଇନି । ଏଣୁ ରାଜ୍ୟରେ ଉଭୟ ଇଂରାଜୀ ମାଧ୍ୟମିକ ଘରୋଇ ସ୍କୁଲ ଓ ସରକାରୀ ସ୍କୁଲ ପାଇଁ ଗୋଟିଏ ନିୟମରେ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବା ପାଇଁ ଦାବି କରିଛି ଅଭିଭାବକ ସଙ୍ଘ । ସେପଟେ ଶିକ୍ଷାବିତ ମଧ୍ୟ କହିଛନ୍ତି ଯେ କୋଭିଡ ପାଇଁ ପାଠ୍ୟକ୍ରମକୁ ୩୦ ପ୍ରତିଶତ କମ କରାଯାଇଥିଲା । ସେହି ଆଧାରରେ ବର୍ତ୍ତମାନ ପରୀକ୍ଷା କରି ପିଲାଙ୍କର ନୂଆଶିକ୍ଷା ବର୍ଷ ଆରମ୍ଭ ହେବା କଥା । ନଚେତ ରାଜ୍ୟରେ ପିଲାମାନେ ଶିକ୍ଷାବର୍ଷ ଓ ପାଠପଢାରେ ପଛୁଆ ରହିଯିବେ ।

ପ୍ରତିବର୍ଷ ମେ ୫ ତାରିଖରୁ ଜୁନ ୧୬ ଗ୍ରୀଷ୍ମକାଳୀନ ଛୁଟି ହୋଇଥାଏ । ଏଥର ମେ ମାସରେ ବୋର୍ଡ଼ ପରୀକ୍ଷା ଚାଲୁ ରହିବା ହେତୁ ଗ୍ରୀଷ୍ମ ଅବକାଶ କେବେ ହେବ ? ପାଠପଢା କେବେ ଆରମ୍ଭ ହେବ, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।