ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ କମାଲ,୯ମ ଦିନରେ ଜିତିଲେ ତିନି ସ୍ୱର୍ଣ୍ଣ

1 min read

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ କମାଲ ଦେଖିବାକୁ ମିଳିଛି । ନବମ ଦିନରେ ମେଡାଲ ପରେ ମେଡାଲ ଦେଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା । ତିନୋଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଆଜି ଜିତିଛନ୍ତି । ୭୪ କେଜି ପୁରୁଷ ବର୍ଗରେ ଭାରତୀୟ କୁସ୍ତିଯୋଦ୍ଧା ନବୀନ କୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପାକିସ୍ତାନର ମହମ୍ମଦ ଶରୀଫଙ୍କୁ ୯-୦ରେ ପରାଜିତ କରି ଭାରତ ପାଇଁ ୧୨ତମ ସ୍ୱର୍ଣ୍ଣ ଜିତିଛନ୍ତି ନବୀନ । ସେହିପରି କୁସ୍ତିରେ ଭାରତର ଏହା ଷଷ୍ଠ ସ୍ୱର୍ଣ୍ଣ ଅଟେ । କିଛି ସମୟ ପୂର୍ବରୁ  ବିନେଶ ଫୋଗାଟ ମହିଳା ୫୦ କେଜି ବର୍ଗରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ବିନେଶ କମନୱେଲ୍ଥ ଗେମ୍ସରେ ଲଗାତାର ତୃତୀୟ ସ୍ୱର୍ଣ୍ଣ ଜିତିଛନ୍ତି ।

ଏହା ପୂର୍ବରୁ ସେ ୨୦୧୪ ଏବଂ ୨୦୧୮ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । କୁସ୍ତିଯୋଦ୍ଧା ରବି ଦହିୟା ଭାରତ ପାଇଁ ୧୦ମ ସ୍ୱର୍ଣ୍ଣ ଜିତିଛନ୍ତି । ସେ ୫୭ କେଜି ବର୍ଗରେ ନାଇଜେରିଆର ଇ ୱେଲ୍ସନଙ୍କୁ ଫାଇନାଲ ମୁକାବିଲାରେ ୧୦-୦ରେ ହରାଇ ପଦକର ଅଧିକାରୀ ହୋଇଛନ୍ତି ।  ସେହିପରି ପୂଜା ଗେହଲତ ୫୦ କେଜି ମହିଳା ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ସ୍କଟଲ୍ୟାଣ୍ଡର କ୍ରିଷ୍ଟିଲେ ଲେମୋଫାକଙ୍କୁ ୧୨-୨ରେ ପରାଜିତ କରିଛନ୍ତି । ଏଥିସହିତ ଭାରତର ମୋଟ ମେଡାଲ ସଂଖ୍ୟା ୩୪ରେ ପହଞ୍ଚିଛି । ଏଥିରେ ୧୨ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୧ ବ୍ରୋଞ୍ଜ ପଦକ ସାମିଲ ରହିଛି । ଭାରତ ବର୍ତ୍ତମାନ ମେଡାଲ ଟାଲିର ୫ମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ବକ୍ସିଂରେ ଜସ୍ମିନ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ।

ମହିଳା ବକ୍ସିଂର ୬୦ କେଜି ବର୍ଗରେ ଜସ୍ମିନ ଇଂଲଣ୍ଡର ଗେମା ପେଜ ରିଚାର୍ଡସନଙ୍କ ବିରୋଧରେ ପରାଜୟର ସାମ୍ନା କରିଛନ୍ତି । ବ୍ରୋଞ୍ଜ ମେଡାଲରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେହିପରି ଭାରତର ଷ୍ଟାର ବକ୍ସର ତଥା ବିଶ୍ୱ ଚାମ୍ପିଅନ ନିଖତ ଜରୀନ ୫୦ କେଜି ବର୍ଗରେ ଫାଇନାଲରେ ପହଞ୍ଚି ଯାଇଛନ୍ତି । ସମସ୍ତଙ୍କ ଆଶା ରହିଛି ସେ ନିଶ୍ଚୟ ସ୍ୱର୍ଣ୍ଣ ଜିତିବେ ।  ସେହିପରି ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଦୁ ମଧ୍ୟ ଫାଇନାଲରେ ପହଞ୍ଚିଛନ୍ତି । ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକ ଜିତିବା ନେଇ ପକ୍କା ହୋଇଯାଇଛି ।