ଅସହ୍ୟ ଶୀତରେ କଲବଲ ସାରା ରାଜ୍ୟ, ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର

ନନ୍ଦିଘୋଷ ବ୍ୟୁରୋ: ଜାଡ଼ରେ ଥରୁଛି ଓଡ଼ିଶା । ଅସହ୍ୟ ଶୀତରେ କଲବଲ ହେଉଛି ସାରା ରାଜ୍ୟ । ୧୦ଡିଗ୍ରୀ ତଳେ ରାଜ୍ୟର ୨୧ସହର । ୨ଡିଗ୍ରୀ ସହିତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ହୋଇଛି ସବୁଠୁ ଥଣ୍ଡା ସହର । ସେହିପରି ଜି. ଉଦୟଗିରିରେ ୫ଡିଗ୍ରୀ ତଳେ ରହିଥିବାବେଳେ ଫୁଲବାଣୀରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହେଉଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏଭଳି ଶୀତ ଲହରୀ ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାତିରେ ତାପମାତ୍ରା କମିବା ସହିତ ଶୀତ ବଢିବ । ସବୁଠି ଆହୁରି ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ପାରା କମିବା ନେଇ ଆକଳନ କରାଯାଉଛି । ଆସନ୍ତାକାଲି ପ୍ରବଳ ଶୀତ ହେବା ନେଇ ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳରେ ସର୍ବାଧିକ ଶୀତ ଅନୁଭୂତ ହେବ । ସେହିପରି ୧୦ତାରିଖରେ ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୁଳକୁ ଆଲର୍ଟ କରାଯାଇଛି ।

ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହି ସବୁ ଜିଲ୍ଲାରେ ରାତିରେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜୁରୁରୀ ନଥିଲେ ସକାଳୁ ଘରୁ ନ ବାହାରିବା ସହିତ ଶୀତବସ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ୨/୩ ଡିଗ୍ରୀ ହୋଇ ବୃଦ୍ଧି ପାଇବ ।