କୋ-ଡ଼ାନ୍ସର ବୈରାଗୀଙ୍କୁ ଭେଟିଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର

1 min read

କଟକ : ସୋସିଆଲ ମିଡ଼ିଆରେ ନିଜ କୋ-ଡ଼ାନ୍ସରକୁ ଦେଖି ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଆସି ପହଞ୍ଚିଥିଲେ ବୈରାଗୀଙ୍କ ଫାଷ୍ଟ ଫୁଡ୍ ଦୋକାନରେ । ସିଦ୍ଧାନ୍ତ ମହାପାତ୍ରଙ୍କୁ ପାଖରୁ ଦେଖି  ବୈରାଗୀ ଦୌଡ଼ି ଆସି ଚରଣ ସ୍ପର୍ଶ କରି ଭାବ ବିହୂଳ ହୋଇ ପଡ଼ିଥିଲେ ଏବଂ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ତାଙ୍କୁ କୁଣ୍ଢାଇ ପକାଇଥିଲେ । ପରେ ବୈରାଗୀ ମୁନା ଭାଇଙ୍କୁ ତାଙ୍କ ଫାଷ୍ଟ ଫୁଡ୍ ଦୋକାନକୁ ପାଛୋଟି ନେଇଥିଲେ ଓ ମୁନା ଭାଇ ବୈରାଗୀ ଏବଂ ତାଙ୍କ ପରିବାର ପାଇଁ କିଛି ଉପହାର ଆଣିଥିଲେ । କେବଳ ସେତିକି ନୁହେଁ ସିଦ୍ଧାନ୍ତ ମହାପାତ୍ର ୯୦ ଦଶକର ଅନେକ ସିନେମା ପ୍ରିଣ୍ଟ ଥିବା ଟି-ସାର୍ଟ ବୈରାଗୀ ଙ୍କୁ ଉପହାର ସ୍ୱରୂପ ଭେଟି ଦେଇଥିଲେ । ତେବେ ସେ ଆହୁରି ମଧ୍ୟ କହିଛନ୍ତି କେବଳ ପୁଚୁକି ଗାଲି ସିନେମା ନୁହେଁ ଏମିତି ୯୦ ଦଶକର ଅନେକ ହିଟ୍ ହିଟ୍ ଫିଲ୍ମ୍ ରେ ତାଙ୍କ ସହ ନାଚି ଗାଇ ଧୂଳି ଉଡ଼ାଇଛନ୍ତି ବୈରାଗୀ ।

ଏବେ ମଧ୍ୟ ଦରକାର ପଡ଼ିଲେ ତାଙ୍କ ସହ ସିନେମା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସିଦ୍ଧାନ୍ତ ମହାପାତ୍ର । ଅନ୍ୟପଟେ ବୈରାଗୀଙ୍କ ଫାଷ୍ଟଫୁଡ୍ ଦୋକାନରୁ ମୁନା ଭାଇ କ’ଣ ଖାଇଲେ ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ ମୁଁ ଯାହା ଖାଇବାକୁ ପସନ୍ଦ କରେ ତାକୁ ବୈରାଗୀ ଆଣିଥିଲେ ଏବଂ ମୁଁ ମଧ୍ୟ ତାକୁ ଖାଇଲି । ଏପଟେ ବୈରାଗୀ କହିଛନ୍ତି ମୁଁ ପ୍ରଥମେ ଦେଇଥିବା ଫାଷ୍ଟଫୁଡ୍ କୁ ମୋ ହିରୋ ମନା କଲେ ଓ ମୁଁ ଆଗରୁ ଜାଣିଥିଲି ମୋ ହିରୋଙ୍କୁ କାଜୁ ପସନ୍ଦ ତେଣୁ କାଜୁ ଆଣି ରଖିଥିଲି ।