ହକି ବିଶ୍ବକପକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: ହକି ବିଶ୍ବକପକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କରାଯିବ ଆମନ୍ତ୍ରଣ । ଲୋକସଭା ଭବନରେ ଆୟୋଜିତ ସର୍ବଦଳୀୟ ବୈଠକରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି ନବୀନ । ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଧନ୍ୟବାଦ ଦେଇଛନ୍ତି । ବିଶ୍ବକପ ହକିର ଆୟୋଜନ ସାରା ଦେଶର ସମ୍ମାନର ବିଷୟ ।

ଏଣୁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଆଲୋଚନାରେ ଭାଗନେଇ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଲଗାତର ଦ୍ବିତୀୟ ଥର ବିଶ୍ବକପର ଆୟୋଜନ କରି ବିଶ୍ବରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି ପାଇଥିବାରୁ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ରାଜନୈତିକ ଦଳର ପ୍ରତିନିଧି ।

ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କ୍ରମାଗତଭାବେ ଦୁଇ ଥର ବିଶ୍ବକପ୍ ହକି ଆୟୋଜନ ବିରଳ ଘଟଣା । ଏହାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ଉଦ୍ୟମ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ୨୦୩୬ ଅବସରରେ ଯେପରି ଓଡିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ଧର୍ମେନ୍ଦ୍ର ମତପ୍ରକାଶ କରିଥିଲେ ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସବୁ ଜିଲ୍ଲାରେ ହକି ଷ୍ଟାଡିଅମ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଆଲୋଚନାରେ ଭାଗନେଇ ସୁଚିନ୍ତିତ ମତାମତ ଦେଇଥିଲେ । ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ୧୭ଦିନିଆ ଭବ୍ୟ କ୍ରୀଡା ଉତ୍ସବ ।