କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା, ଫେରିବେ ପ୍ରବାସୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗମୋହନ ରେଡ୍ଡୀଙ୍କ ସହିତ କଥା ହୋଇଛନ୍ତି । ଉଭୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲେଚନା ହୋଇଥିଲା । ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡ଼ିଓ କନଫରେନସିଂ ଜରିଆରେ ଯୋଗ ଦେଇଥିଲେ ।

ଲକଡାଉନ୍ ସମୟରେ ଉଭୟ ରାଜ୍ୟର ସରକାର ସେଠାରେ ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୟୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗମୋହନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ଆସିବାକୁ ଚାହୁଁଥିବା ଓଡ଼ିଆମାନେ ଯେପରି ସୁବିଧାରେ ଫେରି ଆସିବେ ମୁଖ୍ୟମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆଲୋଚନା ସମୟରେ ଉଭୟ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ  ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ସେମାନଙ୍କ ରାଜ୍ୟସରକାର ଏହି ମଧ୍ୟରେ ଅନେକ କାର୍ଯ୍ୟ ଆରମ୍ଭ କରିଲେଣି । ତେଣୁ ଯେଉଁମାନେ ଚାହିଁବେ ସେମାନେ ସେଠାରେ ରହି ମଧ୍ୟ କାମ କରିପାରିବେ । ଯେଉଁମାନେ ନିଜ ରାଜ୍ୟକୁ ଫେରିବାକୁ ଚାହାଁନ୍ତି , ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗଇ ଦିଆଯିବ ବୋଲି ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

କରୋନା ସଂକଟକୁ ଓଡ଼ିଶା ସରକାର ଯେଉଁଭଳି ଭାବେ ମୁକାବିଲା କରୁଛନ୍ତି ତାହାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଂଶସା କରିଛନ୍ତି ।

ଯେଉଁମାନେ ଓଡ଼ିଶା ଫେରିବାକୁ ଆଗ୍ରହୀ ସେମାନଙ୍କୁ ଯେପରି ଓଡ଼ିଶା ସରକାରଙ୍କ ଅନଲାଇନ୍ ପୋର୍ଟାଲରେ ପଞ୍ଜିକରଣ କରିପାରିବେ ସେଥିପାଇଁ ସହଯୋଗ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକମାଙ୍କର ସ୍କ୍ରିନିଂ, ରେଜିଷ୍ଟ୍ରେସନ ଏବଂ ଯାତ୍ରା ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଏକ ବିଧିବଦ୍ଧ ପ୍ରୋଟୋକଲ୍ ପ୍ରସ୍ତୁତ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍,ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply