ନବୀନ ଆସିଲେ ବିକାଶ ଦେଖିଲେ, ଘଣ୍ଟାଏ କାଳ ବୁଲି ବୁଲି ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କଲେ

1 min read

ଭୁବନେଶ୍ୱର: ନବୀନ ଆସିଲେ ବିକାଶ ଦେଖିଲେ । ଶ୍ରୀକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଆଜି ଅପରାହ୍ନରେ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି । ଅଚାନକ ଗସ୍ତ କରି ପୁରୀରେ ପହଞ୍ଚି ପ୍ରଥମେ ସେ ସିଂହଦ୍ୱାରରୁ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହାପରେ ସେ ଶ୍ରୀମନ୍ଦିର ଚାରିକଡରେ ଚାଲିଥିବା ସୌନ୍ଦର୍ଯ୍ୟକରଣର ତଦାରଖ କରିଥିଲେ ।

ବିଶେଷକରି ୭୫ମିଟର ଉଚ୍ଛେଦ କାମ କେତେ ବାଟ ଆଗେଇଛି ସେ ନେଇ ସମୀକ୍ଷା କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରୁ ବୁଲିବା ଆରମ୍ଭ କରି ବାକି ତିନି ଦ୍ୱାର ବୁଲିବା ସହ ପ୍ରକଳ୍ପ କାମ ବାବଦରେ ପଚାରି ବୁଝିଥିଲେ ।

ଏହି ସମୟରେ ତାଙ୍କ ସହ ଉପସ୍ଥିତି ଥିଲେ ୫-T ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧଘଣ୍ଟାରୁ ଅଧିକ ସମୟ ଧରି ଚାଲି ଚାଲି ପ୍ରକଳ୍ପ କାମ ଅନୁଧ୍ୟାନ ଓ ସମୀକ୍ଷା କରିଥିଲେ । ୭୫ ମିଟର ସୁରକ୍ଷା ଜୋନ ବୁଲିବା ସହିତ ଏହି କାମ ପାଇଁ ୩ ମାସରେ ଜମି ଅଧିଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ୫୯୦ କୋଟିର ୭ଟି ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେଥିରୁ ଦୁଇଟି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି । ଆଗକୁ ୫ଟି ପ୍ରକଳ୍ପର କାମ ଆରମ୍ଭ ହେବ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର । ଜେଲରୋଡ ଓ ମୁନିସିପାଲିଟି ମାର୍କେଟର ଏକ୍ସଟେନସନ କାମ ଆରମ୍ଭ ହୋଇଯାଇଛି । ଏହାସହ ପ୍ରସ୍ତାବିତ ଶ୍ରୀସେତୁ, ମହାବୋଧି ମାର୍କେଟ, ମୂଷାନଈର ସୌନ୍ଦର୍ଯ୍ୟକରଣ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କ୍ରିଷନ କୁମାର । କରୋନା ଯୋଗୁଁ ପୁରୀରେ ପ୍ରକଳ୍ପ କାମ ବନ୍ଦ ରହିଥିଲା ।

କଟକଣା କୋହଳ ହେଲା ପରେ ଏବେ ହେରିଟେଜ ବିକାଶ କାମ ଦ୍ରୁତଗତିରେ ଆଗେଇ ଚାଲିଛି  । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ୱାରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଡଗ ସ୍କ୍ୱାଡ, ବମ ସ୍କ୍ୱାଡ ମୁତୟନ ହୋଇଥିଲା ।

Leave a Reply