ଧଉଳି ଶାନ୍ତିସ୍ତୂପ ବୁଲି ଦେଖିଲେ, ବୌଦ୍ଧ ଭିକ୍ଷୁଙ୍କୁ ଭେଟିଲେ

1 min read

ଭୁବନେଶ୍ୱର: ଧଉଳି ଶାନ୍ତି ସ୍ତୂପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଧଉଳିର ସୁବର୍ଣ୍ଣ ଜୟନ୍ତି ସମାରୋହରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ଉତ୍କଳର ଐତିହ୍ୟ, ଅସ୍ମିତାର ନିଦର୍ଶନ ଶାନ୍ତି ସ୍ତୂପ ଧଉଳି । ଯେଉଁଠି ବିନା ରାଜାରେ ମଧ୍ୟ ଜୟ ଲାଭ କରିଥିଲା କଳିଙ୍ଗ  । ଯେଉଁଠି ମଗଧର ରାଜା ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ  । କାରଣ  ଶାନ୍ତିର ନାହିଁ କୌଣସି ବିକଳ୍ପ । ପ୍ରତ୍ୟେକ ସ୍ତରରେ ଏହା ସ୍ବତନ୍ତ୍ର ମୂଲ୍ୟ ରହିଛି । ଆସନ୍ତୁ ଏକାଠି ହୋଇ ମିଳିତ ଭାବେ ଆଗାମୀ ପିଢି ଲାଗି ଏକ ସୁରକ୍ଷିତ ବିଶ୍ବ ଗଠନ କରିବା । ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏହି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯୁଦ୍ଧରୁ ଶାନ୍ତି । ଏହି ଧଉଳିରୁ ହିଁ ଆରମ୍ଭ ହୋଇଥିଲା ଓଡ଼ିଶା ଇତିହାସ । ସଂପୂର୍ଣ୍ଣ ମାନବଜାତି ଲାଗି ଗାଇଥିଲା ନୈତିକତାର ଗୀତ । ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଅବସର ଏହା ଇତିହାସକୁ ପୁଣି ମନେ ପକାଇ ଦେଉଛି । ଧଉଳି ଓ କଳିଙ୍ଗ ଯୁଦ୍ଧ ବିନା ଓଡ଼ିଶାର ଇତିହାସ ଲେଖାଯାଇପାରିବନି । ରକ୍ତରଂଜିତ ଧଉଳି ଯୁଦ୍ଧର ଅବସାନ ପରେ ଏହିଠାରୁ ସମ୍ରାଟ ଅଶୋକଙ୍କ ମନୋଭାବରେ ବିରାଟ ପରିବର୍ତ୍ତନ ଆସିଥିଲା । ଶାନ୍ତି ପାଇଁ ସେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ । ତାପରଠାରୁ ଧଉଳି ବିଶ୍ବ ଶାନ୍ତିର ବାର୍ତ୍ତାବହ ହୋଇ ଇତିହାସର ମୋଡ ବଦଳାଇ ଦେଇଥିଲା ।

ଶୁକ୍ରବାର ଧଉଳି ଶାନ୍ତିସ୍ତୂପର ୫୦ତମ ଜୟନ୍ତୀ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ । ଇଏ ହେଉଛି ସେହି ବୀରଭୂମି ଯେଉଁଠି ସମ୍ରାଟ ଅଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ଶାନ୍ତିସ୍ତୂପ ସଦର୍ପେ ସେହି ବାର୍ତ୍ତାକୁ ବହନ କରି ଶାନ୍ତିର ସହ ସହବସ୍ଥାନ ଲାଗି ପ୍ରଚାର କରୁଛି । ଶାନ୍ତିସ୍ତୂପ ଆଧୁନିକ ସ୍ଥାପତ୍ୟର ଏକ ଅନବଦ୍ୟ ସୃଷ୍ଟି । ଏହା ଭାରତ-ଜାପାନ ବନ୍ଧୁତା ଓ ସହବନ୍ଧନର ମୂକସାକ୍ଷୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଫୁଜି ଗୁରୁଜୀ ନିପ୍ପୋଞ୍ଜାନ ମିହୋଜୀଙ୍କୁ ବହୁମୂଲ୍ୟ ଅବଦାନ ଲାଗି କୃତଜ୍ଞତା ଜଣାଇଥିଲେ । ଫୁଜି ଗୁରୁଜୀଙ୍କ ଉଦ୍ୟମରେ ବିଶ୍ବ ଶାନ୍ତିସ୍ତୂପ ନିର୍ମାଣ ସମ୍ଭବ ହୋଇପାରିଥିଲା ।

ଓଡ଼ିଶା ସରକାର ଏହି ଶାନ୍ତିସ୍ତୂପକୁ ଏକି ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତନ କରିବା ଦିଗରେ ନିରନ୍ତର କାମ କରିଚାଲିଛନ୍ତି । ଏହାର ସୌନ୍ଦର୍ଯ୍ୟକରଣ କାମ କରାଯାଇଛି । ଦୟା ନଦୀରେ ଏକ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ଲାଗି ଘୋଷଣା କରିବା ସହିତ ୯୫ କୋଟିର ବଜେଟ ଘୋଷଣା ମଧ୍ୟ କରିଛନ୍ତି । ଏହାର ଟେମ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏକ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ସମସ୍ତ ଉପସ୍ଥିତ ବୌଦ୍ଧ ଭିକ୍ଷୁ, ଶ୍ରମସ୍ତଙ୍କୁ ଧନ୍ୟବାଦ ଦେବା ସହ ବିଶ୍ବର ଅନେକ ଦେଶରୁ ଆସିଥିବା ସନ୍ୟାସୀଙ୍କୁ କୃତଜ୍ଞତା ଜ୍ଞାପନ  ।