ରାଉରକେଲା ଉଡାଇବ ବିକାଶର ଧ୍ୱଜା, ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ଅନ୍ତର୍ଜାତୀୟ ସ୍ତରର ସର୍ବ ବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥି ସହିତ ସୁନ୍ଦରଗଡ଼ରେ ନିର୍ମିତ ହୋଇଥିବା ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ହକି ବିଶ୍ୱକପ ପୂର୍ବରୁ  ରାଉରକେଲା ସହରରେ ମୋ ବସ ସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସୂଚନା ମୁତାବକ ଦିନ ୧୨ଟା ୧୫ରେ ରାଉରକେଲାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନବନ୍ଦରରୁ ସିଧା ହକି ଷ୍ଟାଡିୟମ ଯିବେ ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମରେ ରହୁଥିବା ଖେଳାଳିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ଅପରାହ୍ନ ୪ ଟାରେ ଡିଏଭି ପୋଖରୀ ନିକଟରେ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ୧୧ ଶହ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ସେହିପରି ଅପରାହ୍ନ ୪ ଟା ୨୫ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ ୧୫ ମିନିଟ ରହିବେ। ଉଦଘାଟନ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଖେଳାଳୀ, ବରିଷ୍ଠ ଖେଳାଳି ଉପସ୍ଥିତ ରହିବେ। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜା କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିଛନ୍ତି ।