ଆଉ କିଛି ଘଣ୍ଟାର ଅପେକ୍ଷା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱାସର ସହର ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ । ବିଶ୍ୱ ଦରବାରରେ ଆହୁରି ଚମକିବ ଓଡ଼ିଶାର ଚେହେରା । ଆଜି ଶ୍ରୀମନ୍ଦିର ଇତିହାସରେ ଲେଖାହେବ ନୂଆ ଅଧ୍ୟାୟ । ବାସ୍ତବ ରୂପ ନେବ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧି ପାଇଁ ସ୍ୱତନ୍ତ୍ର ନକ୍ସା । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉତ୍ତର ପାର୍ଶ୍ୱ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଅନୁସାରେ ଚାଲିଛି ଯଜ୍ଞ । ଗଜପତି ମହାରାଜ ଯଜ୍ଞର କର୍ତ୍ତା ଥିବା ବେଳେ ୩୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି । ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେବ ସବୁଜ ବଳୟ । ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ ହେବ । ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ । ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ପ୍ରାୟ ୯୬ ପ୍ରତିଶତ ସରିଛି ଜମି ଅଧିଗ୍ରହଣ କାମ । ସାଆନ୍ତେଙ୍କ ପାଇଁ ସ୍ୱଇଚ୍ଛାରେ ଜମି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୮ଶହ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ୍ ।

Leave a Reply