କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଶ୍ନ କୁଆଡ଼େ ଗଲା ପ୍ରତିଶ୍ରୁତି

ପଦମପୁର: ପଦମପୁର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ । ପଚାରିଲେ, କୁଆଡେ ଗଲା କେନ୍ଦ୍ରର ପ୍ରତିଶ୍ରୁତି । ଉପନିର୍ବାଚନ ବେଳେ କେନ୍ଦ୍ରୀୟ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଗୋଟି ଗୋଟି ଗଣାଇଲେ । କହିଲେ, ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଆସି ଅନେକ ପ୍ରତିଶ୍ରୁତି ଦେଇଥିଲେ । ରେଳବାଇ, ଫସଲ ବୀମା, କେନ୍ଦୁପତ୍ର, ଜିଏସଟି ପ୍ରସଙ୍ଗ ଉଠାଇ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଥିଲେ । ଏବେ ସେମାନଙ୍କ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କେନ୍ଦ୍ରମନ୍ତ୍ରୀଙ୍କୁ ସେମାନଙ୍କ ପ୍ରତିଶ୍ରୁତି ମନେ ପକାଇ ଦେବାକୁ ପ୍ରଭୁ ନୃସିଂହନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ସୂଚନାଯୋଗ୍ୟ, ପଦମପୁରବାସୀଙ୍କୁ ଉପନିର୍ବାଚନ ବେଳେ ପୁଣି ଥରେ ଆସିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ପଦମପୁରରେ ପହଞ୍ଚିଛନ୍ତି । ପ୍ରଥମେ ଝାରବନ୍ଧ ଓ ପରେ ପାଇକମାଳ ଯାଇ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ଏସଏଚଜି ମହିଳାଙ୍କୁ ମିଶନ ଶକ୍ତି ସହାୟତା ପ୍ରଦାନ କରିଛନ୍ତି । ପଦମପୁରବାସୀଙ୍କୁ ଉପନିର୍ବାଚନରେ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନେ ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।