ବିଜୟଶ୍ରୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ଶୋକ: ‘ଜନପ୍ରିୟ ନେତା ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ’

1 min read

ଭୁବନେଶ୍ୱର:  ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟଶ୍ରୀଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି, ଜନପ୍ରତିନିଧି ଭାବେ ତାଙ୍କ ଲୋକଭିମୁଖୀ କାର୍ଯ୍ୟ ପାଇଁ ସେ ଚିର ସ୍ମରଣୀୟ ରହିବେ ବୋଲି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ସ୍ବର୍ଗତ ରାଉତରାୟଙ୍କ ପୁଅ ତଥା ବିଧାୟକ ବିଷ୍ଣୁ ବ୍ରତ ରାଉତରାୟଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ।

ସେହିଭଳି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା ବିଜୟଶ୍ରୀଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ସ୍ବର୍ଗତ ରାଉତରାୟ ଜଣେ ଲୋକପ୍ରିୟ ରାଜନେତା ତଥା ଅମାୟିକ ବ୍ୟକ୍ତିତ୍ବ ଥିଲେ ।  ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ ।ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଭାବରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର ସହ ନିର୍ବାହ କରିଥିଲେ ।ତାଙ୍କର ବିୟୋଗରେ ଆମ ସମସ୍ତଙ୍କ ପାଇଁ ଏକ ବିରାଟ କ୍ଷତି ବୋଲି ଦଳୀୟ ନେତା ମତ ପ୍ରକାଶ କରିଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୟଶ୍ରୀଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ସେ ତାଙ୍କର ଜଣେ ବଡ଼ ଭାଇଙ୍କୁ ହରାଇଛନ୍ତି ବୋଲି କହିଛନ୍ତି ।

 

ଏଥିସହିତ ପଢ଼ନ୍ତୁ: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

Leave a Reply