spot_img

Latest Posts

ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଆରମ୍ଭ, ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବିତ୍ତୀୟ ରାଜଧାନୀ ମୁମ୍ବାଇରେ ଆରମ୍ଭ ହେଲା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’।  ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ୱାନ୍ ଟୁ ୱାନ୍ ଆଲୋଚନା । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ ‘ଓ୍ୱାରେ ଇଞ୍ଜିନିୟର୍ସ ଲିଃ.’ର ଅଧ୍ୟକ୍ଷ ହିତେଶ ଚିମନଲାଲ ଦୋଶୀଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଥିବା ପୁଞ୍ଜିନିବେଶ ସୁଯୋଗ ନେଇ ଦୁଇ ବିଜନେସ ଟାଇକୁନଙ୍କ ସହ ଆଲୋଚନା କରିଛନ୍ତି।

 

ଆଜି ସଂଧ୍ୟାରେ ପୁଞ୍ଜିପତି ସମ୍ମିଳନୀକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଦିନ ସାଢ଼େ ଗୋଟାଏ ଯାଏଁ ଜଣ ଜଣ କରି ସମସ୍ତ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବେ । ଓଡ଼ିଶାର ଆର୍ଥିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କୁ ବୁଝାଉଛନ୍ତି ନବୀନ । ରାଜ୍ୟର ବ୍ୟାଙ୍କିଙ୍ଗ୍, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ୍ ଓ ଖଣି ଆଦି କ୍ଷେତ୍ର ସହ ପରିଚିତ କରାଉଛନ୍ତି।

ନିବେଶକଙ୍କ ମଧ୍ୟରେ ଆନନ୍ଦ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ସମ୍ବଳ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ନୀଲକମଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ହିଟେନ ଭି. ପାରେଖଙ୍କ ପରି ଶିଳ୍ପପତି ଅଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ଏଚଡିଏଫସି ବ୍ୟାଙ୍କର ଭାରତ ମୁଖ୍ୟ ଅରବିନ୍ଦ ବୋହରା, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା, ଏସିଆନ୍ ପେଣ୍ଟସ୍ ଲିମିଟେଡ୍, ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ଲାର୍ସନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍ ଓ ଏସଟିଟି ଜିଡିସି ଇଣ୍ଡିଆ ପିଭି ଲିମିଟେଡର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସଂଧ୍ୟା ୭ଟାରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Latest Posts

Don't Miss