ସୁନ୍ଦର ରାଜ୍ୟ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳବଣିଆସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଆୟୋଜିତ ଠାକୁର ଅନୁକୁଳଚନ୍ଦ୍ରଙ୍କର ଉତ୍କଳ ଆଗମନକୁ ୧୦୧ ତମ ବର୍ଷ ପୂର୍ତ୍ତି ଉତ୍ସବରେ ହେଲେ ସାମିଲ । ସୁନ୍ଦର ରାଜ୍ୟ ଓ ଦେଶ ଗଠନ ପାଇଁ ଦେଲେ ଆହ୍ବାନ ।

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ତାଳବଣିଆ ସ୍ଥିତ ହେଲିପ୍ୟାଡ଼ରେ ପହଞ୍ଚିବା ପରେ ସୁରକ୍ଷା ବଳୟ ଭିତରେ ସଭା ସ୍ଥଳକୁ ଯାଇଥିଲେ । ସଭାରେ ସାମିଲ ହେବା ସହ ଜୟ ଜଗନ୍ନାଥ, ଜୟଗୁରୁ କହି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଠାକୁର ଅନୁକୁଳଚନ୍ଦ୍ରଙ୍କ ସ୍ମୃତିଚାରଣ କରିବା ସହ ଠାକୁରଙ୍କ ଭକ୍ତ ସମାଜ ସେବାରେ ଭଲ ଯୋଗଦାନ କରୁଥିବା କହିଥିଲେ । ଏହାସହ ଉପସ୍ଥିତ ଠାକୁର ଅନୁକୁଳଚନ୍ଦ୍ରଙ୍କ ଭକ୍ତଙ୍କୁ ଏକାଠି କାମ କରିବା ସହ ସୁନ୍ଦର ଦେଶ ଓ ରାଜ୍ୟ ଗଠନରେ ସହଯୋଗର ହାତ ବଢ଼ାଇବାକୁ ଆହ୍ବାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ୧୦୦ ବର୍ଷ ତଳେ ଠାକୁର ଅନୁକୁଳଚନ୍ଦ୍ର ପୁରୀ ଆସିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପାଙ୍କ ଅନୁରୋଧରେ ପୁରୀ ଆସିଥିଲେ ଠାକୁର ଅନୁକୁଳଚନ୍ଦ୍ର । ଠାକୁରଙ୍କ ସହ ତାଙ୍କର ବହୁ ଅନୁଗାମୀ ମଧ୍ୟ ପୁରୀ ଆସିଥିଲେ । ଠାକୁରଙ୍କ ଲକ୍ଷ ଲକ୍ଷ ଅନୁଗାମୀ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସୁନ୍ଦର ଓ ସୁସ୍ଥ ଓଡ଼ିଶା ଗଠନରେ ସେମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ତେଣୁ ସମସ୍ତେ ମିଶି ସୁନ୍ଦର ରାଜ୍ୟ ଗଠନ କରିବା । ଏଭଳି ଏକ ଖୁସି ମୁହୂର୍ତ୍ତରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।