ଓଡିଶା ଟ୍ରାଭେଲ ବଜାରର ଶୁଭାରମ୍ଭ, ଝଟକିବ ଟୁରିଜିମ
ନନ୍ଦିଘୋଷ ବ୍ୟୁରୋ: ପର୍ଯ୍ୟଟନର ବିକାଶ ପାଇଁ ସରକାରଙ୍କ ନୂଆ ମନ୍ତ୍ର ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡିଶା’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ‘ଓଡ଼ିଶା ଟ୍ରାଭେଲ ବଜାରର ସପ୍ତମ ସଂସ୍କରଣ ଆରମ୍ଭ । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ନିବେଶ କରିବାକୁ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଓ ଟୁରିଜିମ୍ ପାର୍ଟନରଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ । ପର୍ଯ୍ୟଟନର ପ୍ରଚାର ପାଇଁ ନୂତନ ‘ଓଡ଼ିଶା ଟୁରିଜିମ୍ ପୋର୍ଟାଲ୍’ ଓ ‘ଇନଭେଷ୍ଟମେଣ୍ଟ ଇନ୍ସେଣ୍ଟିଭ୍ ୱେବ୍ ଆପ୍ଲିକେଶନ୍’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପର୍ଯ୍ୟଟନ ସହ କ୍ରୀଡାକୁ ଗୁରୁତ୍ବ ଦେବା ଜରୁରୀ ବୋଲି କହିଛନ୍ତି କ୍ରିକେଟ ଲିଜେଣ୍ଡ କପିଳ ଦେବ ।
ଓଡିଶା-ଇଣ୍ଡିଆଜ ବେଷ୍ଟ କେପ୍ଟ ସିକ୍ରେଟ । ହେଲେ ଏବେ ସମୟ ବଦଳିଛି । ସରକାର ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳକୁ ଗୁପ୍ତ ରଖିବାକୁ ଚାହୁଁନାହାନ୍ତି । ବିସ୍ତୀର୍ଣ୍ଣ ବେଳାଭୂମି ଠାରୁ ଆରମ୍ଭ କରି ଘଞ୍ଚ ଜଙ୍ଗଲ, ଜଳପ୍ରପାତରୁ ଧାର୍ମିକ ସ୍ଥଳ, ବୁଦ୍ଧିଷ୍ଟ ହେରିଟେଜରୁ ଆଦିମ ଜନଜାତିମାନଙ୍କ ଜୀବନଯାପନ, ତାରକସି କାମରୁ ପଟ୍ଟଚିତ୍ର, ସବୁଠି ରହିଛି ଓଡିଶାର ଛାପ, ଓଡ଼ିଆ ବାସ୍ନା । ଏସବୁକୁ ଆଧାର କରି ଓଡ଼ିଶାକୁ ପର୍ଯ୍ୟଟକଙ୍କ ସ୍ୱର୍ଗ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସପ୍ତମ ଓଡିଶା ଟ୍ରାଭେଲ ବଜାରର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଅତିଥି ଦେବୋ ଭବଃ’ ମୂଳମନ୍ତ୍ରକୁ ଆପଣାଇ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଦିଅନ୍ତୁ ସର୍ବୋତ୍ତମ ସମ୍ମାନ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୨୯ଟି ସ୍ଥଳୀରେ ଟୁରିଷ୍ଟ ପୋଲିସ ଓ ଓସ୍ୱାଲି ଜରିଆରେ ୧୦୦୦ ଲାଇଫ୍ ଗାର୍ଡ ନିଯୁକ୍ତ ହେବେ । ଅଧିକ ହୋଟେଲ ଓ ରିସର୍ଟ ପାଇଁ ୫,୫୦୦ ଏକର ପରିମିତ ବିଶାଳ ଲ୍ୟାଣ୍ଡ ବ୍ୟାଙ୍କ ମଞ୍ଜୁର ହୋଇଛି । ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ ଆରମ୍ଭ ହୋଇଛି । ରାଜ୍ୟର ୨୯ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ‘ଟୁରିଷ୍ଟ ପୋଲିସ’ ବ୍ୟବସ୍ଥା ଆରମ୍ଭ କରାଯାଉଥିବାବେଳେ ସମୁଦ୍ରକୂଳ ଓ ଜଳକ୍ରୀଡ଼ା ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଓସ୍ୱାଲି ମାଧ୍ୟମରେ ଏକ ହଜାର ପ୍ରଶିକ୍ଷିତ ଲାଇଫ୍ ଗାର୍ଡ ନିଯୁକ୍ତ କରାଯିବ । ଅଧିକ ଭିଡ଼ ପରିଲକ୍ଷିତ ହେଉଥିବା ସ୍ଥଳୀଗୁଡ଼ିକରେ ଡେଷ୍ଟିନେସନ୍ ମ୍ୟାନେଜର ମଧ୍ୟ ନିଯୁକ୍ତ ହେବେ । କିଛି ବର୍ଷ ହେଲାଣି ଓଡ଼ିଶାର ଚିତ୍ର ବଦଳିଛି । ବିକାଶର ଧାରା ଆଗକୁ ବଢୁଛି । ହେଲେ ପର୍ଯ୍ୟଟନ ସହ କ୍ରୀଡାକୁ ଗୁରୁତ୍ବ ଦେବା ଜରୁରୀ ବୋଲି କପିଳ ଦେବ କହିଛନ୍ତି ।
ମରୁଭୁମିକୁ ବାଦ୍ ଦେଲେ ଭୂପୃଷ୍ଠର ସମସ୍ତ ପ୍ରକାର ପ୍ରାକୃତିକ ବିଭବ ଓ ସୌନ୍ଦର୍ଯ୍ୟ ଓଡ଼ିଶା ମାଟିରେ ରହିଛି । ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ବିଶ୍ୱସ୍ତରୀୟ ଐତିହାସିକ ସ୍ମାରକ ସାଙ୍ଗକୁ ରାଜ୍ୟରେ ୫୭୫ କିଲୋମିଟର ଦୀର୍ଘ ପ୍ରାକୃତିକ ସମୁଦ୍ର ତଟ, ଭିତରକନିକାର ବିଶ୍ୱପ୍ରସିଦ୍ଧ ମ୍ୟାଙ୍ଗ୍ରୋଭ୍ ଜଙ୍ଗଲ, ଏସିଆର ସର୍ବବୃହତ ଲୁଣିଆ ପାଣି ହ୍ରଦ ଚିଲିକା ଓ ହୀରାକୁଦ ଜଳଭଣ୍ଡାର ରହିଛି । ବିକଶିତ୍ ଓଡ଼ିଶା ଭିଜନ୍ ୨୦୩୬-୨୦୪୭ ରୋଡମ୍ୟାପ୍ ଅନୁଯାୟୀ ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରାଯାଉଛି । ରାଜ୍ୟର ସ୍ଥାନୀୟ କାରିଗର, ଗାଇଡ଼ ଓ ଟୁର୍ ଅପରେଟରମାନଙ୍କୁ ଅତ୍ୟାଧୁନିକ ଡିଜିଟାଲ୍ ଜ୍ଞାନକୌଶଳରେ ସଜ୍ଜିତ କରାଯାଉଛି । ଓଡ଼ିଶାର ମହାପ୍ରସାଦ, ଡାଲମା, ଚିଲିକାର ସି ଫୁଡ଼ ବିଦେଶୀମାନଙ୍କ ପ୍ରଥମ ପସନ୍ଦ ବୋଲି ବ୍ରାଣ୍ଡ ଆମ୍ବାସଡ଼ର କହିଛନ୍ତି । ଓଡିଶାକୁ ଫରେନ ଫୁଟଫଲ ୧୫ ପ୍ରତିଶତ ବଢିଛି ।
ସାରା ଦେଶରେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ନମ୍ବର କରିବାକୁ ଉଦ୍ୟମ ହେଉଛି । ହେଲେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ସୁବିଧା ସୁଯୋଗ, ସୁରକ୍ଷା ଦିଗ ପ୍ରତି ବି ଧ୍ୟାନ ଦିଆଯିବା ଜରୁରୀ ।

