କୋରାପୁଟର ବିଷ୍ଣୁ ପେଣ୍ଠିଆଙ୍କୁ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

କୋରାପୁଟ : ଜୟପୁରସ୍ଥିତ ଲାଠିଗୁଡ଼ା ଗାଁରେ ରୁହନ୍ତି ନକୁଳ ପେଣ୍ଠିଆଙ୍କ ପରିବାର । ନିଜର ତିନୋଟି ଛୋଟ ଛୁଆଙ୍କୁ ନେଇ ନକୁଳଙ୍କର ସଂସାର । ପରିବାର କହିଲେ, ଦୁଇ ପୁଅ ଓ ଗୋଟିଏ ଝିଅ ଏବଂ ପତ୍ନୀଙ୍କ ସହ ପାଞ୍ଚ ପ୍ରାଣୀ କୁଟୁମ୍ବ । ଆର୍ଥିକ ଦୂରାବସ୍ଥାରେ ରହୁଥିବା ନକୁଳ ପେଣ୍ଠିଆ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଏଭଳି ସ୍ଥଳେ ବୋଝ ଉପରେ ଲଳିତା ବିଡ଼ା ପରି ତାଙ୍କର ୫ ବର୍ଷୀୟ ବଡ ପୁଅ ବିଷ୍ଣୁ ପେଣ୍ଠିଆଙ୍କ ଗୋଡ଼ରେ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବଢୁଛି । ଗୋଟିଏ ପକ୍ଷରେ ଆର୍ଥିକ ସ୍ଥିତି ଭଲ ନଥିଲା ବେଳେ ଅନ୍ୟପଟେ ପୁଅର ଏହି ଦୁର୍ଦ୍ଦଶା ନକୁଳ ପେଣ୍ଠିଆଙ୍କର ଚିନ୍ତାକୁ ଦ୍ୱିଗୁଣିତ କରୁଥିଲା । ପାଖରେ ଅର୍ଥ ନଥାଇ ମଧ୍ୟ ସେ ବୋରିଗୁମ୍ମା, ଜୟପୁର, କୋରାପୁଟ ମେଡ଼ିକାଲରେ ପୁଅକୁ ଦେଖାଇଥିଲେ । ସେଠାରେ ଡାକ୍ତରମାନେ ବିଷ୍ଣୁଙ୍କର ଚିକିତ୍ସା କଟକ କିମ୍ବା ବ୍ରହ୍ମପୁରରେ କରିବା ପାଇଁ ପରାମର୍ଶ ଦେଇଥିଲେ ।


ନକୁଳ ପେଣ୍ଠିଆଙ୍କ ଏହି ଦୁଃଖଦ କାହାଣୀ ଏକ ଦୈନିକ ଖବର କାଗଜରେ ପ୍ରକାଶିତ ହୋଇଥିଲା । ସୌଭାଗ୍ୟକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଷ୍ଣୁଙ୍କର ଏ ଦୁର୍ଦ୍ଦଶା ସଂପର୍କରେ ଜାଣିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ‘ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’, ଜୟପୁରର ଅଧିକାରୀମାନେ ତୁରନ୍ତ ଲାଠିଗୁଡ଼ା ଗାଁକୁ ଯାଇଥିଲେ । ସେହି ସମୟରେ ବିଷ୍ଣୁଙ୍କ ବାପା, ମା’ ମୁଲ ଲାଗିବାକୁ ବାହାରକୁ ଯାଇଥିଲେ । ସେମାନେ ଆସିବା ପର୍ଯ୍ୟନ୍ତ ଅଧିକାରୀମାନେ ଅପେକ୍ଷା କରିବା ସହ ବିଷ୍ଣୁଙ୍କ ବାପା ମା’ଙ୍କ ସହ ଆଲୋଚନା କରି ତା’ର ଚିକିତ୍ସା ପାଇଁ ସ୍ଥାନୀୟ ବୋରିଗୁମ୍ମା ହସ୍ପିଟାଲ ନେଇଥିଲେ ।


ପରେ କୋରାପୁଟ ମେଡ଼ିକାଲରେ ଆବଶ୍ୟକୀୟ ପରୀକ୍ଷା ପରେ ଏକ ଆମ୍ବୁଲାନ୍ସରେ ବିଷ୍ଣୁଙ୍କୁ କଟକ ବଡ ମେଡିକାଲ ପଠାଯାଇଥିଲା । ଆଜି ବିଷ୍ଣୁ ନିଜ ବାପା, ମା’ ଏବଂ ବୋରିଗୁମ୍ମାର ଆୟୁଷ ଡାକ୍ତର ଆଲୋକ ବିଶୋୟୀଙ୍କ ସହ କଟକ ବଡ଼ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ପଠାଯାଇଥିଲା । ବିଭାଗୀୟ ମୁଖ୍ୟ ଡଃ ଅନ୍ନଦା ପ୍ରସାଦ ପଟ୍ଟନାୟକ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।

Leave a Reply