spot_img

Latest Posts

ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ, ଦାୟିତ୍ୱର ଗୁରୁତ୍ୱ ବୁଝି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର:  ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୮୦୪ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରକୁ ତୃଣମୂଳ ସ୍ତରରେ ଅଭିବୃଦ୍ଧିର ଏକ ଇଞ୍ଜିନ। ଦାୟିତ୍ୱର ଗୁରୁତ୍ୱ ବୁଝି ତାହାର ନିର୍ବାହ କରିବାକୁ ନବ ନିଯୁକ୍ତ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଏପରି ମନ୍ତ୍ର ଦେଇଛନ୍ତି ନବୀନ । ୫-T ଉପକ୍ରମ ଅବଲମ୍ବନ କରି ତୃଣମୂଳ ସ୍ତରରେ ପରିବର୍ତ୍ତନ ପାଇଁ କାମ କରିବାକୁ ନବନିଯୁକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ଗ୍ରାମାଞ୍ଚଳରେ ୭୦ ପ୍ରତିଶତରୁ ଅଧିକ ଲୋକ ବିଭିନ୍ନ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ମାଧ୍ୟମରେ ନିଜର ଆୟ ବୃଦ୍ଧି କରିପାରୁଛନ୍ତି। ରାଜ୍ୟ ସରକାର ଏହି କୃଷକଙ୍କ ରୋଜଗାର ବଢ଼ାଇବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରକୁ କୃଷକ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଅଭିବୃଦ୍ଧିର ଏକ ଇଞ୍ଜିନ ଭାବରେ ଚିହ୍ନଟ କରାଯାଇଛି । ଗ୍ରାମାଞ୍ଚଳରେ ଲୋକଙ୍କ ପ୍ରୋଟିନ କ୍ୟାଲୋରି ଆବଶ୍ୟକତା ପୂରଣ କରିବା, ପୁଷ୍ଟିସାଧନ ଓ ସର୍ବୋପରି ଖାଦ୍ୟ ସୁରକ୍ଷା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରର ସ୍ବତନ୍ତ୍ର ଭୂମିକା ରହିଛି । ତେଣୁ ଏହି ବିଭାଗର ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଅନୁଭବ କରିବା ଉଚିତ ବୋଲି ଚେତେଇ ଦେଇଛନ୍ତି । ନବନିଯୁକ୍ତ କର୍ମଚାରୀମାନେ ସ୍ୱଚ୍ଛତା ବଜାୟ ରଖିବା ସହ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

Latest Posts

Don't Miss